ଗିରଫ ହେଲା ସୁପାରି କିଲର ରାଜେନ୍ଦ୍ର ମଲ୍ଲିକ : ଗାଡ଼ିରେ ପ୍ରେସ ଲେଖି ପୋଲିସକୁ ଦେଉଥିଲା ଚକମା

125

ପୋଲିସ ହାତରେ ଧରାପଡିଛି ନୟାପଲ୍ଲୀରେ ବ୍ୟବାସାୟୀଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ରର ମାଷ୍ଟର ମାଇଣ୍ଡ । ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଆସିଥିବା ୨ ଅପରାଧୀ ସମ୍ପଦ ଓ ପ୍ରଶାନ୍ତ ନିକଟରୁ ମିଳିଥିଲା ମୁଖ୍ୟ ଷଡଯନ୍ତ୍ରକାରୀ ରାଜେନ୍ଦ୍ର ମଲ୍ଲିକର ସୁରାକ । ରାଜେନ୍ଦ୍ରକୁ ଟାର୍ଗେଟ କରି ପୋଲିସ ଚଢାଉ କରିଥିବାବେଳେ ତାକୁ ଧରିବାରେ ସଫଳ ହୋଇଛି । ଏଥିସହ ୨୦ଟି ମୋବାଇଲ ଫୋନ୍, ୫୦ଟି ଏଟିଏମ୍ କାର୍ଡ, ୪ଟି ଲାପଟପ ସହିତ ନଗଦ ୫ ଲକ୍ଷ ୨୨ ହଜାର ଟଙ୍କା ଜବତ କରିଛି ପୋଲିସ । ବଡକଥା ହେଉଛି ରାଜେନ୍ଦ୍ର ଘରୁ ମିଳିଛି ବିଭିନ୍ନ ଗଣମାଧ୍ୟମର ନକଲି ପରିଚୟପତ୍ର । ଗାଡିରେ ପ୍ରେସ ଲେଖି ଅବାଧରେ ବୁଲାବୁଲି କରୁଥିବାବେଳେ ପୋଲିସକୁ ଚକମା ଦେବାରେ ସମର୍ଥ ହେଉଥିଲା ରାଜେନ୍ଦ୍ର ।

ପୋଲିସ କହିଛି ପୂର୍ବରୁ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିଲା ରାଜେନ୍ଦ୍ର । ଜିଆରଏମ କମ୍ପାନିରେ ଚାକିରି କରାଇ ଦେବାକୁ କହି ଲୋକଙ୍କୁ ଚୁନା ଲଗାଇଥିଲା । ଦିଲ୍ଲୀ ପୋଲିସ ସହ ଯୋଗାଯୋଗରେ ଥିଲା ଓଡିଶା ପୋଲିସ । ତାର ଦୁଇ ସହଯୋଗୀ ସମ୍ପଦ ଓ ପ୍ରଶାନ୍ତକୁ ରିମାଣ୍ଡରେ ଆଣି ପଚରା ଉଚରା ପରେ ରାଜେନ୍ଦ୍ର ବାବଦରେ ତଥ୍ୟ ମିଳିଥିଲା । ନଭେମ୍ବର ୨୬ରେ ନୟାପଲ୍ଲୀର ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଆସିଥିବାବେଳେ ଖବର ପାଇଁ ପୋଲିସ ଏମାନଙ୍କୁ କାବୁ କରିନେଇଥିଲା । ଏମାନଙ୍କ ନିକଟରୁ ବନ୍ଧୁକ ବି ଦବତ ହୋଇଥିଲା ।

ରାଜେନ୍ଦ୍ର ପାଖରୁ ମିଳିଥିବା ପ୍ରାୟ ୫୦ଟି ଏଟିଏମ କାର୍ଡ ବାବଦରେ ଅଧିକ ଛାନଭିନ ଚଳାଇଛି ପୋଲିସ । ତାକୁ ରିମାଣ୍ଡରେ ଆଣି ଏହି ସୁପାରି କିଲର ବାବଦରେ ଅଧିକ ତଥ୍ୟ ଯୋଗାଡ କରିବାକୁ ଯୋଜନା କରିଛି କମିଶନରେଟ୍ ପୋଲିସ ।