ଜାମିନ୍ ଶୁଣାଣି ପୂର୍ବରୁ ମନୀଷ ସିସୋଦିଆଙ୍କୁ ଗିରଫ କଲା ଇଡି । ସେପଟେ ଆଜି ସିବିଆଇ ମାମଲାରେ ଜାମିନ ଆବେଦନର ଶୁଣାଣି

77

କନକ ବ୍ୟୁରୋ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିିଆ ଇଡି ଦ୍ୱାରା ଗିରଫ ହୋଇଛନ୍ତି । ସିବିଆଇ ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଥିବା ସିସୋଦିଆ ଦ୍ୱିତୀୟ ଥର ପାଇଁ ଗିରଫ ହୋଇଛନ୍ତି । ଗୁରୁବାର ଅବକାରୀ ଦୁର୍ନୀତି ମାମଲାରେ ହୋଇଥିବା ଅନିୟମିତତା ଅଭିଯୋଗରେ ମନି ଲଣ୍ଡରିଂ ମାମଲାରେ ଇଡି ସିସୋଦିଆଙ୍କୁ ଗିରଫ କରିଛି । ଏହି ଘଟଣା ପରେ ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ । ଆଜି ସିବିଆଇ ଗିରଫଦାରୀକୁ ଚ୍ୟାଲେଂଜ କରି ଜାମିନ୍ ପାଇଁ ସିବିଆଇ କୋର୍ଟରେ ଶୁଣାଣି ହେବ । ଏହାର ଗୋଟିଏ ଦିନ ପୂର୍ବରୁ ଇଡି ସିସୋଦିିଆଙ୍କୁ ଗିରଫ କରିଛି ।

ଇଡି ଏକ ସ୍ୱତନ୍ତ୍ର ପିଏମଏଲଏ କୋର୍ଟରୁ ଏକ ୱାରେଣ୍ଟ ପାଇବ ବୋଲି ଆଶା କରାଯାଉଛି । ଏହା ପରେ ସିସୋଦିିଆଙ୍କ ହେପାଜତକୁ ନେଇ ପଚରାଉଚରା କରିବା ପାଇଁ ଇଡି ଆଜି କୋର୍ଟରେ ଅନୁମତି ମାଗିବ । ଯଦି ସିବିଆଇ ମାମଲାରେ ମନୀଷଙ୍କୁ ଜାମିନ ମିଳିବ ଅନ୍ୟପଟେ ଇଡି ସିସୋଦିିଆଙ୍କୁ ହେପାଜତରେ ଜେରା ପାଇଁ ଅନୁମତି ପାଇବ ତାହେଲେ ଜେଲରୁ ବାହିରିପାରିବେ ନାହଁ ମନୀଷ । କାରଣ ଇଡିକୁ ହେପାଜତରେ ନେବାକୁ ଅନୁମତି ମିଳିଛି । ଇଡି ସିସୋଦିଆଙ୍କୁ ନିଜ ହେପାଜତକୁ ନେଇ ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ ମୁହାଁମୁହିଁ କରି ଜେରା କରିବ । ଏମିତିକି ଆସନ୍ତାକାଲି ଯଦି ବିଆରଏସ ନେତ୍ରୀ ତଥା କେସିଆରଙ୍କ ଝିଅ କେ କବିତା ଇଡିରେ ହାଜର ହୁଅନ୍ତି ତାହେଲେ ସିସୋଦିଆଙ୍କୁ କେ କବିତାଙ୍କ ସହ ସାମ୍ନାସାମ୍ନୀ କରି ଜେରା କରିପାରେ ।