ଆଜିଠୁ ରାଉରକେଲାରେ ଆରମ୍ଭ ହେଉଛି ହକି ପ୍ରୋ ଲିଗ୍ ମ୍ୟାଚ୍ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ , ପ୍ରଥମ ମ୍ୟାଚରେ ଭାରତ ବନାମ ଜର୍ମାନୀ

77

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ । ରାଉରକେଲା ବିର୍ଷା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ । ଭାରତ ଏବଂ ଜର୍ମାନୀ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ । ଆଉ ଏହି ପ୍ରୋ-ଲିଗ ମ୍ୟାଚର ଉଦଘାଟନ କରିବା ସହିତ ମୁଖ୍ୟ ଅତିଥିଭାବେ ନବୀନ ପଟ୍ଟନାୟକ ଯୋଗଦେବେ ।

ଆଜି ପୂର୍ବାହ୍ନରେ ସ୍ୱତନ୍ତ୍ର ବିମାନରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବାହାରି ରାଉରକେଲାରେ ପହଂଚିବେ । ଏହାପରେ ରାଉରକେଲାରେ ପ୍ରାୟ ୧୨୪ କୋଟି ବ୍ୟୟ ଅଟକଳରେ ନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମକୁ ଉଦ୍ଘାଟନ କରିବେ । ଏହାସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ସହ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଂଚି ପ୍ରୋ-ଲିଗ୍ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତ ସମେତ ବିଶ୍ୱବିଜୟୀ ଜର୍ମାନୀ ଓ ବିଶ୍ୱ ରାଙ୍କିଂର ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ମୋଟ୍ ୬ଟି ମ୍ୟାଚ୍ ଖେଳାଯିବ । ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଦୁଇଟି ଲେଖାଏ ମ୍ୟାଚ୍ ଖେଳିବେ । ହକିର ଫିଭର ଏବେ ବି ରାଉରକେଲାରେ ରହିଛି । ନିକଟରେ ହକି ବିଶ୍ୱକପ ଦେଖିବାକୁ ଯେଉଁଭଳି ଲୋକଙ୍କର ଉତ୍ସାହ ରହିଥିଲା । ସମାନ ଉତ୍ସାହ ମଧ୍ୟ ପ୍ରୋ ଲିଗ ମ୍ୟାଚ ବେଳେ ଦେଖିବାକୁ ମିଳିଛି । ୬ ତାରିଖରୁ ଅଫ୍ ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା । ପ୍ରବଳ ଖରା ସତ୍ୱେ ହକିପ୍ରେମୀ ମାନେ ଭିଡ ଭିତରେ ଧାଡିରେ ଛିଡା ହୋଇ ଟିକେଟ୍ କାଟିଥିଲେ ।