ଇନଷ୍ଟାଗ୍ରାମ ଫଲୋୟର୍ସଙ୍କୁ ନେଇ ଇର୍ଷା ! ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

442

କନକ ବ୍ୟୁରୋ : ଇନଷ୍ଟାଗ୍ରାମ ଫଲୋୟର୍ସ ବଢିବାକୁ ନେଇ ଇର୍ଷା । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ୧୫ ବର୍ଷ ତଳେ ବିବାହ କରିଥିବା ସ୍ତ୍ରୀଙ୍କୁ  ୩୭ ବର୍ଷୀୟ ବ୍ୟବସାୟୀ ଜଣକ କାର ଭିତରେ ପିଲାଙ୍କ ସାମ୍ନାରେ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ହତ୍ୟା କରିବାର ମୂଳ କାରଣ ‘ଇନ୍‌ଷ୍ଟାଗ୍ରାମ୍‌’ ବୋଲି ଜଣାପଡିଛି ।  ସ୍ତ୍ରୀ ଗୃହିଣୀ ହୋଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ‘ଟୁର୍‌ ଓ ଟ୍ରାଭେଲ୍‌ ଏଜେନ୍‌ସି’ ବ୍ୟବସାୟ କରୁଥିଲେ । ସେମାନେ ଲକ୍ଷ୍ନୌ ଅନ୍ତର୍ଗତ ପାରା ଅଞ୍ଚଳରେ ବାସ କରନ୍ତି । ‘ଏସ୍‌ୟୁଭି’ରେ  ସେମାନେ ରାଏ ବରେଲି ବାହାରିଥିଲେ କିନ୍ତୁ, ସ୍ତ୍ରୀ’ଙ୍କୁ ହତ୍ୟା କରିବା ପାଇଁ ସେ ରାସ୍ତା ବଦଳାଇ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେକୁ ଆସିଥିଲେ ।

ମୃତ ମହିଳାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟକୁ ପୋଲିସ ଯାଞ୍ଚ କରିଛି । ନିଜ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ମହିଳାଜଣକ ତାଙ୍କ ସ୍ବାମୀଙ୍କୁ ମଧ୍ୟ ‘ବ୍ଲକ୍‌’ କରି ଦେଇଥିଲେ । ଯାହା ଦ୍ୱାରା ସନ୍ଦେହ ଓ ହୀନମନ୍ୟତା ବୃଦ୍ଧି ଯୋଗୁଁ ପରିଶେଷରେ ସ୍ବାମୀ ଏଭଳି କାଣ୍ଡ ଭିଆଇଥିବା କଥା ପୁଲିସ କହିଛି । ସ୍ବାମୀଙ୍କର ସନ୍ଦେହ ହୋଇଥିଲା ଯେ, ତାଙ୍କ ଅନୁପସ୍ଥିତିରେ କେତେକ ‘ଫଲୋୟର୍ସ’ ସ୍ତ୍ରୀ’ଙ୍କୁ ଭେଟିବାକୁ ଘରକୁ ଆସୁଛନ୍ତି । ଏଥିଯୋଗୁଁ ଦୁହିଁଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିଲା । ତେବେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ଘଟଣାର ତଦନ୍ତ କରୁଛି ।