ଇଏ ହିଁ ଜଗାର ପ୍ରକୃତ ଭକ୍ତ: ଖରାରରେ ସିଝୁଥିଲେ କାଳିଆ ସାଆନ୍ତ, ଜଗାର ମୂର୍ତ୍ତିକୁ କୋଳେଇ ମନ୍ଦିରରେ ରଖିଲେ ସ୍ଥାନୀୟ ଯୁବକ

100

କନକ ବ୍ୟୁରୋ: ପୁରୀରେ ମିଳୁନି ଜଗନ୍ନାଥଙ୍କୁ ସମ୍ମାନ । କୋଟି କୋଟି ଓଡିଆଙ୍କ ମଉଡମଣିଙ୍କୁ ଏ କି ସମ୍ମାନ । ଯେଉଁ ଜଗନ୍ନାଥଙ୍କୁ ନେଇ ସାରା ଓଡିଶା ଗର୍ବ କରେ ତାଙ୍କୁ ଚିରା ଅଖାରେ ଘୋଡାଇ ଖରାରେ ରଖିଦେଇ ଚାଲିଯାଇଛି ଟେଂଟ୍ ମାଲିକ । ସଭା ଶେଷ ହେବା ପରେ ସବୁ ଜିନିଷ ନେଇଗଲେ ହେଲେ ମହାପ୍ରଭୁଙ୍କୁ ଭୁଲିଗଲେ । ମଝି ପଡିଆରେ ଅବହେଳିତ ହୋଇ ପଡି ରହିଥିଲା ମହାପ୍ରଭୁଙ୍କ ପ୍ରତିମୂର୍ତି । ତେବେ ଖବର ପ୍ରସାରଣ ପରେ ଶେଷରେ ସ୍ଥାନୀୟ ଅଂଚଳର ଜଣେ ଯୁବକ ଜଗନ୍ନାଥଙ୍କ ମୂର୍ତିକୁ ଉଦ୍ଧାର କରି ସାଥିରେ ନେଇଥିବା ଦେଖିବାକୁ ମିଳିଛି । ଯୁବକ ଜଣକ ଜଗାର ମୂର୍ତ୍ତିକୁ ଉଦ୍ଧାର କରିବା ପରେ ସ୍ଥାନୀୟ ମନ୍ଦିରକୁ ସ୍ଥାନାନ୍ତର କରିଥିଲେ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ମାଲୁଦ ପଂଚୁଦୋଳ ଯାତ୍ରା ପଡିଆରୁ ଆସିଛି ଏଭଳି ଘଟଣା । ଘଟଣାଟି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବେଶ୍ ଆଘାତ୍ ଦେଇଛି ।