ଦୁନିଆ ଦେଖିବ ଦିବ୍ୟାଙ୍ଗ ଝିଅର ପ୍ରତିଭା। ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତିଯୋଗିତାରେ ଖେଳିବେ କେନ୍ଦୁଝରର କୁନି ଝିଅ ଝିଲି

105

କନକ ବ୍ୟୁରୋ: ସାରା ଦୁନିଆ ଦେଖିବ ଦିବ୍ୟାଙ୍ଗ ଝିଅର ପ୍ରତିଭା । ଆସନ୍ତା ଅଗଷ୍ଟ ମାସରେ ନେପାଳରେ ହେବାକୁ ଥିବା ଅନ୍ତର୍ଜାତୀୟ ଦୃଷ୍ଟିବାଧିତ କ୍ରିକେଟ୍ ମ୍ୟାଚରେ ଭାରତରୁ ପ୍ରତିନିଧିତ୍ୱ କରିବେ କେନ୍ଦୁଝର ହାଟଡିହି ବ୍ଳକର ୧୩ ବର୍ଷିୟ କୁନି ଝିଅ ଝିଲି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଦେଖିବାକୁ ମିଳିଛି । ହାଟଡିହି ବ୍ଳକ ଝଣଝଣା ଗାଁର ସୁଦର୍ଶନ ବିରୁଆ ଓ ମମତା ବିରୂଆଙ୍କ ଝିଅ ଝିଲି । ବାପା ମା’ ଆରପାରିକୁ ଚାଲିଯିବା ପରେ ଜେଜେ ମା’ଙ୍କ ସେ ପାଖରେ ବଡ଼ ହୋଇଛନ୍ତି । ଭଦ୍ରକ ସ୍ଥିତ ଅନ୍ଧମୂକ ବଧିର ବିଦ୍ୟାଳୟରେ ପାଠ ପଢ଼ିବା ସହିତ ସେ ତାଙ୍କର ଖେଳ ଜୀବନ ଆରମ୍ଭ କରିଥିଲେ । ରାଜ୍ୟ ଓ ଜାତୀୟସ୍ତରରେ ବିଭିନ୍ନ କ୍ରିକେଟ୍ ମ୍ୟାଚ୍ ଖେଳି ପ୍ରଶଂସା ସାଉଁଟିଛନ୍ତି ଝିଲି । ଏବେ ଅନ୍ତର୍ଜାତୀୟସ୍ତରରେ ଖେଳିବା ପାଇଁ ଓଡ଼ିଶାରୁ ୫ଜଣଙ୍କ ନାଁ ଚୟନ ହୋଇଥିବା ବେଳେ ସେଥିରେ ଅଛି ଝିଲିଙ୍କ ନାଁ । ଯାହାକୁ ନେଇ ଝିଲି ମଧ୍ୟ ମଧ୍ୟ ବେଶ ଖୁସି ଅଛନ୍ତି ।

ଆର୍ଥିକ ଅନଟନ ସତ୍ୱେ ଦୃଢ଼ ଇଛାଶକ୍ତି ବଳରେ ସେ ସଫଳତା ହାସଲ କରିଛନ୍ତି । ଦେଶ ପାଇଁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଝିଲିଙ୍କ ଆର୍ଥିକ ଅବସ୍ଥା ଯେ କେହି ନଦେଖିଲେ ବିଶ୍ୱାସ କରିବ ନାହିଁ । ଭଙ୍ଗା ଚାଳ ଛପର ଘରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନଥିବା ବେଳେ ଝୁଡ଼ି ଭିତର ରହୁଛି ଝିଲିଙ୍କୁ ମିଳିଥିବା ଟ୍ରଫି ଓ ମାନପତ୍ର । ଅନ୍ୟପଟେ ବିଦେଶ ଯିବା ପାଇଁ ପାସପୋର୍ଟର ଆବଶ୍ୟକତା ଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇନଥିବାରୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ହାଟଡ଼ିହି ତହସିଲଦାର ତାଙ୍କ ନିକଟରେ ପହଞ୍ଚି ତାଙ୍କ ଭଲମନ୍ଦ ବୁଝିବା ସହ ପ୍ରଶାସନକୁ ରିପୋର୍ଟ ଦେବେ ବୋଲି କହିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ପିଲାଦିନୁ ଖେଳ ପ୍ରତି ରୁଚି ରଖିଥିବା ଝିଲିଙ୍କ ପ୍ରତିଭା ଏବେ ସାରା ଦୁନିଆ ଦେଖିବ ।