ଆଜି କଂଗ୍ରେସ ସଭାପତି ନିର୍ବାଚନ : ଦାର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ଅଣଗାନ୍ଧୀ ଅଧ୍ୟକ୍ଷ

95

କନକ ବ୍ୟୁରୋ : ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ସଭାପତି ପଦ ପାଇଁ ଆଜି ଭୋଟ ପଡିବାକୁ ଯାଉଛି । ଜାତୀୟ କଂଗ୍ରେସର ମଙ୍ଗ କିଏ ସମ୍ଭାଳିବ, ଏହାର ଫୈସଲା କରିବା ପାଇଁ ସୋମବାର ନିର୍ବାଚନ ହେବାକୁ ଯାଉଛି । ବଡକଥା ହେଉଛି କଂଗ୍ରେସର ଦୀର୍ଘ ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ଦଳର ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହେଉଛି । ତାଠୁ ବଡ କଥା ହେଲା ଦୀର୍ଘ ୨୨ ବର୍ଷ ପରେ ଦଳର ମୁଖ୍ୟ ପଦ ପାଇଁ ନିର୍ବାଚନ ହେଉଛି ।

ଗାନ୍ଧୀ ପରିବାରର କେହି ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ରାଜି ନହେବାରୁ ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଆଉ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ କୌଣସି ବ୍ୟକ୍ତି କଂଗ୍ରେସ ଅଧ୍ୟକ୍ଷ ପଦରେ ବସିବା ନିଶ୍ଚିତ ହୋଇଯାଇଛି । ଦଳର ହାଇକମାଣ୍ଡ ପାଇଁ କିଏ ଯୋଗ୍ୟ ପ୍ରାର୍ଥୀ ତାହା ନିର୍ବାଚନ ଜରିଆରେ ନିର୍ଣ୍ଣୟ କରିବାକୁ ଯାଉଛି କଂଗ୍ରେସ । କଂଗ୍ରେସର ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମଲ୍ଲିକାର୍ଜୁନ ଖଡଗେ ଓ ଶଶିଥରରୁ ବିଭିନ୍ନ ରାଜ୍ୟ ବୁଲି ସମର୍ଥନ ଲୋଡିଛନ୍ତି । ଆଜିର ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ମତଦାନ ଚାଲୁ ରହିବ ।

ଏଥିପାଇଁ ସାରା ଦେଶରେ ୪୦ଟି ମତଦାନ କେନ୍ଦ୍ରରେ ୬୮ ବୁଥ କରାଯାଇଛି । ଯେଉଁଥିରେ ପ୍ରଦେଶ କଂଗ୍ରେସ କମିଟିର ପ୍ରାୟ ୯ ହଜାର ୮ଶହରୁ ଅଧିକ ସଦସ୍ୟ ଓ ପ୍ରତିନିଧି ଭୋଟ ଦେଇ କଂଗ୍ରେସର କମାଣ କିଏ ସମ୍ଭାଳିବ, ତାହାର ନିର୍ଣ୍ଣୟ କରିବେ । ମତଦାନ ସରିବା ପରେ ବାଲାଟ ବକ୍ସକୁ ସିଲ କରି ଦିଲ୍ଲୀ ସ୍ଥିତି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯିବ । ଅକ୍ଟୋବର ୧୯ ତାରିଖରେ ମତଗଣନା ପରେ ଫଳାଫଳ ଘୋଷଣା କରାଯିବ ।