କଳକାରଖାନାର ବର୍ଜ୍ୟବସ୍ତୁ ପାଇଁ ଦୂଷିତ ହେଉଛି ନଦୀ ଜଳ। ଯୋଡାର ଦୁଇ ନଦୀର ଜଳ ଲୋକଙ୍କ ପାଇଁ ପାଲଟିଲାଣି ବିଷ।

108

କନକ ବ୍ୟୁରୋ: ମଣିଷ ବଞ୍ଚିବା ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ ଆବଶ୍ୟକ ହୋଇଥାଏ । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭିତରେ ପାଣିର ଆବଶ୍ୟକତା ମଣିଷ ପାଇଁ ଯଥେଷ୍ଟ ଅଧିକ । ମଣିଷ ପାଣି ପାଇଁ ନଦୀ, ନାଳ ଉପରେ ନିର୍ଭର କରିଥାଏ । କାହିଁ କେଉଁ ସମୟରୁ ମଣିଷ ପାଣି ପାଇଁ ନଦୀ ଉପରେ ନିର୍ଭର କରିଆସୁଛି । ତେବେ ସମୟ ବଦଳିବା ସହ ନଦୀ ନାଳ ପ୍ରଦୂଷିତ ହେବାରେ ଲାଗିଛି । ନିଜେ ମଣିଷ ଏହାକୁ ଦୂଷିତ କରି ବିନାଶ ଆଡକୁ ଟାଣିନେଉଛି । ଖଣି ଓ ଶିଳ୍ପ ପାଇଁ ନଦୀ ନାଳକୁ ବ୍ୟବହାର କରାଯାଇ ସେଥିରୁ ବାହରୁଥିବା ଅନାବଶ୍ୟକ ସାମଗ୍ରୀକୁ ସେହି ନଦୀକୁ ଛାଡି ପାଣିକୁ ଦୂଷିତ କରିଚାଲିଛି ।

କେନ୍ଦୁଝର ଜିଲ୍ଲାର ଯୋଡା ଖଣି ଅଞ୍ଚଳ । ଖଣିଖାଦାନ ଭରା ଏହି ଅଞ୍ଚଳରେ ପ୍ରଦୂଷଣ ଚରମ ସ୍ଥିତିରେ ପହଞ୍ଚିସାରିଛି । ଏଠାରେ ଥିବା ବିଭିନ୍ନ କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁର ସଠିକ ପରିଚାଳନା କରାନଯାଇ ଏହାକୁ ନଦୀକୁ ଛଡାଯାଉଥିବା ଅଭିଯୋଗ ହୋଇଛି । ବିଶେଷ କରି ଯୋଡା ଅଞ୍ଚଳରେ ପ୍ରବାହିତ କାରୋ ଓ ସୁନା ନଦୀରେ ଜଳରେ ବର୍ଜ୍ୟବସ୍ତୁ ଛଡାଯାଉଥିବାରୁ ନଦୀର ଜଳ ଦୂଷିତ ହୋଇସାରିଛି । ଏହା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।

ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ଯେ, କେବଳ ଏହି ଦୁଇ ନଦୀ ନୁହେଁ ଆଗାମୀ ଦିନରେ ଜିଲ୍ଲାରେ ପ୍ରବାହିତ ହେଉଥିବା ବୈତରଣୀକୁ ମଧ୍ୟ ପ୍ରଦୂଷିତ କରିବ । ଏନେଇ ପରିବେଶବିତ ମାନେ ଚିନ୍ତାପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, ଯଦି ଏବେଠାରୁ ବିଭିନ୍ନ ଶିଳ୍ପସଂସ୍ଥାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଏହା ସମସ୍ତଙ୍କ ପାଇଁ ବିପଦ ଆଣିଦେବ । ଯଦି ଏହା ହୁଏ ସ୍ଥାନୀୟ ଅଞ୍ଚଳ ବାସୀ ପାଣିମୁନ୍ଦାଏ ପାଇଁ ସଙ୍ଘର୍ଷ କରିବେ ।

ଯୋଡା ଅଞ୍ଚଳରେ ପ୍ରଦୂଷଣ ସମସ୍ୟା ବଢିଚାଲିଛି । ଯଦି ଏଭଳି ଲାଗିରହେ ତେବେ ଆଗାମୀ ଦିନରେ ଲୋକେ ବଞ୍ଚିବା ପାଇଁ ସଙ୍ଘର୍ଷ କରିବେ । ତେବେ ଆସନ୍ତୁ ନଦୀକୁ ବଞ୍ଚାଇବା ପାଇଁ ଆମେ ଏକ ହେବା । ଆସନ୍ତୁ ଆମ ପୁରୁଣା ପୃଥିବୀକୁ ଫେରାଇ ଆଣିବା । ପୁନଶ୍ଚ ପୃଥିବୀ ଗଢିବାର ସଙ୍କଳ୍ପ ନେବା