ଏକ ବ୍ୟକ୍ତି ଏକ ପଦବୀ ନୀତିରୁ ପଲଟିଲା କଂଗ୍ରେସ : ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିବେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ

80

କନକ ବ୍ୟୁରୋ : ଏକ ବ୍ୟକ୍ତି ଏକ ପଦବୀ ନୀତିରୁ ପଲଟିଲା କଂଗ୍ରେସ । ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିବେ ମଲ୍ଲିକାର୍ଜୁନ ଖଡଗେ । ରବିବାର କଂଗ୍ରେସ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଖଡଗେ ଦଳର ସଭାପତି ସହିତ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଧ୍ୟ ରହିବେ । ରବିବାର ଦଳର ଷ୍ଟିୟିରିଂ କମିଟି ବୈଠକ ବସିଥିଲା । ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡେଗ, ଅଶୋକ ଗେହଲଟ, ଭୂପେଶ ବାଘେଲଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ହୋଇଥିଲେ ।

ଏହି ବୈଠକରେ ଖଡଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିବେ ବୋଲି ନିଷ୍ପତି ନିଆଯାଇଛି । ଯାହା ନିକଟରେ ରାଜସ୍ଥାନ ଉଦୟପୁରରେ କଂଗ୍ରେସ ନିଷ୍ପତ୍ତିର ଓଲଟା । ଉଦୟପୁର ବୈଠକରେ କଂଗ୍ରେସ ନିଷ୍ପତ୍ତି ନେଇଥିଲା ଯେ ଦଳର ଏକ ବ୍ୟକ୍ତି ଏକ ପଦବୀରେ ରହିବେ । ତେଣୁ ଖଡଗେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢୁଥିବାରୁ ସେ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ । ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିବ ବୋଲି ଅଶୋକ ଗେହଲଟ ଦଳର ସଭାପତି ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯାଇ ସର୍ତ ରଖିଥିଲେ । ଯେଉଁଥିପାଇଁ ସଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କ କଳି ଦେଖିବାକୁ ମିଳିଥିଲା ।