ଗୁରୁପ୍ରିୟା: ସ୍ୱାଭିମାନ ଅଞ୍ଚଳବାସୀଙ୍କ ସ୍ୱପ୍ନର ସେତୁ, ପ୍ରଶାସନ ପାଇଁ ବିକାଶର ବାର୍ତ୍ତାବହ ପାଲଟିଲାଣି ପର୍ଯ୍ୟଟନସ୍ଥଳୀ । ବ୍ରିଜ ଉପରେ ପ୍ରାକୃତିକ ପରିବେଶର ମଜା ନେଉଛନ୍ତି ପର୍ଯ୍ୟଟକ ।

211

କନକ ବ୍ୟୁରୋ: ୨୦୧୮ ମସିହା ଜୁଲାଇ ମାସରେ ଉଦଘାଟିତ ହୋଇଥିଲା ଗୁରୁପ୍ରିୟା ସେତୁ । ଏବେ ଚିତ୍ରକୋଣ୍ଡା ଜନବାଇର ଗୁରୁପ୍ରିୟା ସେତୁ ନିକଟରେ ପର୍ଯ୍ୟଟଙ୍କ ଭିଡ ଜମିବାରେ ଲାଗିଛି । ପ୍ରକୃତିର ମନୋରମ ଦୃଶ୍ୟ ସହିତ ଗୁରୁପ୍ରିୟା ବ୍ରିଜ ଦେଖିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସୁଛନ୍ତି ଏବଂ ବ୍ରିଜ ଉପରେ ସେଲ୍ଫି ମଧ୍ୟ ନେଉଛନ୍ତି ।

ଦୂର ପାହାଡର ଦିଗବଳୟ ଭିତରେ ଲୁଚି ଯାଉଛି ଅସ୍ତଗାମୀ ସୂର୍ଯ୍ୟ । ଆଉ ବିସ୍ତିର୍ଣ୍ଣ ଜଳ ରାଶିରେ ତା’ର ପ୍ରତିବିମ୍ବ । ସୁନେଲୀ ଆକାଶ ତଳେ ଏକ ସୁନ୍ଦର ପରିବେଶ । ଯିଏ କେହି ବି ଦେଖିବ, ସେ ଭାବୁକ ହେବ, ଏଇ ଜଳରାଶୀରେ ତାର ଆଖି ଲାଖିଯିବ ନିଶ୍ଚୟ । ଏହି ମନଛୁଆଁ ଦୃଶ୍ୟ ଦେଖିବାକୁ ଚାହୁଁଥିଲେ ଆପଣଙ୍କୁ ଯିବାକୁ ପଡିବ ମାଲକାଲଗିରି ଜିଲ୍ଲାକୁ ।

ଗୁରୁପ୍ରିୟାର ନୀଳ ଜଳରାଶି ଛାତି ଉପରେ ଠିଆ ହୋଇଛି ବିକାଶର ସେତୁ । ଆଉ ସେତୁ ଚାରିପଟେ ପ୍ରକୃତିର ଗନ୍ତାଘର । ପାଣି କଡରେ ପାହାଡ ପର୍ବତର ଅତ୍ୟନ୍ତ ମନୋରମ ଦୃଶ୍ୟ ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ମାଓବାଦୀଙ୍କୁ ପ୍ରତିହତ କରି ଚିତ୍ରକୋଣ୍ଡା ଯାନବାଇ ନିକଟରେ ଠିଆ ହୋଇଥିବା ଗୁରୁପ୍ରିୟା ସେତୁ ଏବେ ପର୍ଯ୍ୟଟକଙ୍କ ପାଇଁ ସେଲଫି ଜୋନ ପାଲଟିଛି ।

ଦିନେ ମାଓବାଦୀଙ୍କ ଗଡ ଭାବେ ପରିଚିତ ଗୁରୁପ୍ରିୟାରେ ପର୍ଯ୍ୟଟକଙ୍କ ଭିଡ । ୨୦୧୮ ଜୁଲାଇ ମାସରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବିଚ୍ଛିନ୍ନାଂଚଳ ସ୍ୱାଭିମାନ ଅଂଚଳରେ ପରିଣତ ହୋଇଛି । ଜଳଭଣ୍ଡାର ଡେଇଁ ଆଦିବାସୀ ଗାଁର ବିକାଶ ପହଂଚୁଛି । ଆଉ ବିକାଶର ସାରଥୀ ସାଜିଥିବା ଗୁରୁପ୍ରିୟା ସେତୁର ଆଖପାଖରେ ଏକ ପାର୍କ ଓ ନୌକା ବିହାରର ବ୍ୟବସ୍ଥା କରାଗଲେ ଆହୁରି ଜନ ସମାଗନ ହେବ ବୋଲି କୁହାଯାଉଛି । ପିକନିକ୍ ଋତୁରେ ଗୁରୁପ୍ରିୟା ନିକଟରେ ପର୍ଯଟକଙ୍କ ଭିଡ ବଢୁଥିବା ଦେଖି ଏହି ସ୍ଥାନକୁ ମାନ୍ୟତା ଦେବାକୁ ଦାବି ହେଉଛି ।