ଆଉ କିଛି ସମୟର ଅପେକ୍ଷା… ଦ୍ୱାପର ଯୁଗକୁ ଫେରିଯିବ ବରଗଡ । କଂସଙ୍କ ମହାରାଜଙ୍କ ହସରେ ଥରହର ହେବ ମଥୁରା ।

363

କନକ ବ୍ୟୁରୋ: ଆଉ କିଛି ସମୟ ପରେ କମ୍ପିବ ବରଗଡ ଖୋଲାମଞ୍ଚ । କଂସଙ୍କ ହସରେ ଥରିବ ମଥୁରା । ଧନୁଯାତ୍ରାର ଧୂମରେ ଝୁମିବ ବରଗଡ । କାରଣ ଆଜି ସନ୍ଧ୍ୟାରେ ଆରମ୍ଭ ହେଉଛି ବହୁ ପ୍ରତିକ୍ଷିତ ୭୧ତମ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ଚୁଡ଼ାନ୍ତ ହୋଇଛି ସାଜସଜ୍ଜା । ଆଉ କେଇ ମୁହୂର୍ତ୍ତ ପରେ ବରଗଡ଼ ପାଲଟିଯିବ ମଥୁରା ନଗରୀ, ଅମ୍ବାପାଲି ପାଲଟିଯିବ ଗୋପପୁର ଏବଂ ଚିର ପ୍ରବାହିତ ଜୀରା ନଦୀ ପାଳଟିଯିବ ଯମୁନା । ଏହାସହ ବରଗଡ଼ର ଆବାଳବୃଦ୍ଧ ବନିତା ପାଲଟିଯିବେ ସର୍ବବୃହତ ମୁକ୍ତାକାଶ ରଂଗମଂଚର ଜଣେ ଜଣେ କଳାକାର ।

ମଥୁରା ଠାରୁ ଗୋପପୁର ସବୁଠି ସମସ୍ତେ ପ୍ରସ୍ତୁତ । ସାରା ସହରକୁ ସୁନ୍ଦର ଆଲୋକମାଳାରେ ସଜେଇ ଦିଆଯାଇଛି । ୨୫ଟି ଲାଇଟ ଗେଟ ଲଗାଯାଇଛି । ଧନୁଯାତ୍ରା ମହାମଂଚ ପାଇଁ କଳାକାରମାନେ ମଧ୍ୟ ନିଜକୁ ପୂରା ପ୍ରସ୍ତୁତ କରି ଶୁଭାରମ୍ଭ ମୁହୂର୍ତ୍ତକୁ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ମୀନା ବଜାର ଓ ବ୍ୟବସାୟୀମାନେ ପହଂଚି ସାରିଛନ୍ତି ।

ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାରଂପାରିକ ପୂଜାର୍ଚ୍ଚନା ପରେ ସଂନ୍ଧ୍ୟା ୭ଟାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହେବ ଧନୁଯାତ୍ରା । ପ୍ରଥମ ଦିନରେ ରାଜକୀୟ ଆଡ଼ମ୍ବର ସହିତ ଦେବକୀ ଓ ବାସୁଦେବଙ୍କ ବିବାହ ସ୍ଥାନୀୟ ରାମଜୀ ମନ୍ଦିରରେ ହେବ । ଦୈବବାଣୀ ଶୁଣି ଭୟଭୀତ ହୋଇ କଂସ, ଦେବକୀ ଓ ବସୁଦେବଙ୍କୁ କାରାଗାରରେ ବନ୍ଦୀ କରିବ ଏବଂ ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ ସିଂହାସନ ଆହୋରଣ କରିବାର ଦୃଶ୍ୟ ଅଭିନିତ ହେବ । ତେବେ ଚଳିତବର୍ଷ ପାଇଁ ଧନୁଯାତ୍ରାରେ ପ୍ରାୟ ୧୩୦ଟି ସାସ୍କୃତିକ ଦଳ ବିଭିନ୍ନ ପ୍ରାନ୍ତରୁ ଆସିବାର କାଯ୍ୟକ୍ରମ ରହିଛିା