ଅଜଗରଙ୍କ ଅଜବ ଦୁନିଆ । ଯେଉଁଠି ଚାଲେ ଅଜଗରଙ୍କ ରାଜ୍, ଖରା ଖାଇବାକୁ ଗୁମ୍ଫାରୁ ବାହାରକୁ ଆସନ୍ତି ସାପ, ଅତି ପାଖରୁ ଦେଖନ୍ତି ପର୍ଯ୍ୟଟକ ।

243

କନକ ବ୍ୟୁରୋ : ଏମିତି ଏକ ଦୁନିଆ, ଯେଉଁଠି ଚାଲେ ଅଜଗରଙ୍କ ରାଜ । ଶୀତ ଋତୁରେ ଗୋଟିଏ କି ଦୁଇଟି ନୁହେଁ, ଅନେକ ସଂଖ୍ୟାରେ ଏଠାରେ ଅଜଗର ସାପ ଗୁମ୍ଫାରୁ ବାହାରି ବାହାରେ ବୁଲୁଥିବାରୁ ଦେଖିବାକୁ ମିଳନ୍ତି । ମଧ୍ୟପ୍ରଦେଶ ମଣ୍ଡଲାର କାହ୍ନା ନ୍ୟାସନାଲ ପାର୍କକୁ ଲାଗି ଥିବା ଜଙ୍ଗଲରେ ପାଖାପାଖି ୨ ହେକ୍ଟର ଅଂଚଳରେ ରହିଛି ଅଜଗରଙ୍କ ଏହି ବସ୍ତି । ଏଠାରେ ଥିବା ବଡ ବଡ ଚଟାଣ ଏବଂ ଗୁମ୍ଫା ଗୁଡିକରେ ଅଜଗର ଗୁଡିକ ରହିଥାନ୍ତି ।

ଅଜଗରଙ୍କ ଏହି ବସ୍ତିଙ୍କୁ ଅଜଗର ଦାଦର ନାମରେ ଜଣାଯାଏ । ଶୀତ ଦିନେ ଟିକେ ଖରା ପଡିଲେ ଅଜଗର ଗୁଡିକ ଗୁମ୍ଫାରୁ ବାହାରକୁ ଚାଲିଆସିଥାନ୍ତି । ଆଉ ଅତି ପାଖରୁ ଅଜଗରଙ୍କୁ ଦେଖିବା ପାଇଁ ଦେଶବିଦେଶରୁ ଅନେକ ଲୋକ ଏଠାକୁ ଧାଇଁ ଆସିଥାନ୍ତି । ବିଶେଷ କରି ସକାଳ ସମୟରେ ଅନେକ ସଂଖ୍ୟାରେ ଏଠାରେ ଅଜଗର ଦେଖିବାକୁ ମିଳିଥାଏ ।

ଅନ୍ୟପଟେ ଅଜଗରଙ୍କ ସୁରକ୍ଷା ପାଇଁ ମଧ୍ୟ ଏଠାରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀ ମଧ୍ୟ ନିୟୋଜିତ ଅଛନ୍ତି । ଏଠାରେ ଛୋଟ ଅଜଗର ଠାରୁ ଆରମ୍ଭ କରି ବଡ ଅଜଗର ମଧ୍ୟ ଦେଖିବାକୁ ମିଳନ୍ତି । ଯେଉଁଥିପାଇଁ ଏହା ପର୍ଯ୍ୟଟକଙ୍କ ଆକର୍ଷଣର ସ୍ଥାନ ପାଲଟିଛି ।