ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଛି ମହୁଲ ଚାଷ । ମହୁଲରୁ ଲଡୁ ପ୍ରସ୍ତୁତ କରି ହେଉଛନ୍ତି ଲାଭବାନ

99

କନକ ବ୍ୟୁରୋ : ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଛି ମହୁଲ.. । ଆଦିବାସୀ ମହିଳାଙ୍କୁ ଆତ୍ମନିର୍ଭର କରାଇବା ପାଇଁ ଓଡ଼ିଶା ଜୀବିକା ମିଶନ ଓ ବସୁନ୍ଦରାର ମିଳିତ ସହଯୋଗରେ ଆରମ୍ଭ ହୋଇଛି ନୂଆ ପ୍ରୟାସ । ମହୁଲରୁ କିଭଳି ଲଡ଼ୁ ପ୍ରସ୍ତୁତ କରି ଏହାକୁ ବଜାରରେ ବିକ୍ରି କରିପାରିବେ ସେଥିପାଇଁ ମହିଳାଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ତାଲିମ । ବିଶେଷକରି ମାର୍ଚ୍ଚ ମାସରୁ ଏପ୍ରିଲ ମାସ ଭିତରେ ପାହାଡ଼ ପର୍ବତ ଘେରା ଫୁଲବାଣୀ ଅଂଚଳରେ ପ୍ରଚୁର ପରିମାଣ ଫୁଲ ହୋଇଥାଏ । ଏହାକୁ ସଂଗ୍ରହ କରି ବ୍ୟବସାୟୀଙ୍କୁ ବିକ୍ରି କରିଥାଆନ୍ତି ଆଦିବାସୀ । ଏଥିପାଇଁ ତାଙ୍କୁ ଅଧିକାଂଶ ସମୟରେ ଉଚିତ୍ ମୂଲ୍ୟ ମିଳିନଥାଏ । ଏବେ ମହୁଲରୁ ଲଡ଼ୁ ପ୍ରସ୍ତୁତ କରି ବକ୍ରି କରିବା ଦ୍ୱାରା ମହିଳା ବେଶ ଲାଭବାନ ହୋଇପାରିବେ ।

ତେବେ ଲଡ଼ୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସଂଗ୍ରହ କରିଥିବା ମହୁଲକୁ ଭଲଭାବେ ଖରାରେ ସୁଖାଇ ସାଇତି ରଖିଥାଆନ୍ତି ମହିଳା । ଏହା ପରେ ଫୁଲ ଗୁଡ଼ିକରୁ ପାଖୁଡ଼ା ଛଡ଼ାଇ ଭାଜି ଗୁଡ଼ରେ ପାଗ କରାଯାଏ । ଭଜା ମହୁଲକୁ ସ୍ୱାଦ ଅନୁସାରେ ରାଶି ଓ ବାଦାମ ମିଶାଯାଇଥାଏ । ଯାହା ଅନ୍ୟ ମିଠା ଠାରୁ ବେଶ ସ୍ୱାଦିଷ୍ଟ । ଲଡ଼ୁ ପ୍ରସ୍ତୁତ କରିବା ପରେ ଏହାକୁ ଜରିରେ ପ୍ୟାକିଂ କରି ବିକ୍ରି କରିବାକୁ ପଠାଯାଏ । ଏକ କିଲୋ ମହୁଲରେ ୩୦ଟି ଲଡୁ ତିଆରି ହେଉଥିବା ବେଳେ ତାହା ବଜାରରେ ୧୫୦ ଟଙ୍କାରେ ବିକ୍ରି କରାଯାଉଛି । ଏସ.ଏଚ.ଜି ଗୃପ୍ ମାଧ୍ୟମରେ ଫୁଲବାଣୀ ଓ ସ୍ଥାନୀୟ ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି ।

ସାଧାରଣତଃ ନିରିହ ଆଦିବାସୀ ମାନେ ଜଙ୍ଗଲଜାତ ଜିନିଷ ସଂଗ୍ରହ କରି ସେମାନଙ୍କ ଜୀବନ ଜୀବିକା ନିର୍ବାହ କରନ୍ତି । ମାର୍ଚ୍ଚ ଏପ୍ରିଲ ମାସର ଟାଣ ଖରାରେ ଜଙ୍ଗଲରୁ ମହୁଲ କରନ୍ତି । କେତେବେଳେ ମହୁଲରୁ ମଦ ପ୍ରସ୍ତୁତ କରନ୍ତି ତ ପୁଣି କେତେବେଳେ ମହୁଲକୁ ବିକ୍ରି କରି ଉଚିତ୍ ମୂଲ୍ୟ ପାଇପାରନ୍ତି ନାହିଁ । ଆଦିବାସୀଙ୍କ ଜୀବନ ଧାରଣରେ ଉନ୍ନତି ଆଣିବା ସହ ସେମାନଙ୍କ ଆର୍ଥିକ ସ୍ଥିତିର ବିକାଶ ପାଇଁ ଏଭଳି ପ୍ରୟାସ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି ।