ଶିଳ୍ପୀଙ୍କ ହାତର ସ୍ପର୍ଶରେ ତିଆରି ଚାଲିଛି ବିଭିନ୍ନ ଘରକରଣା ଜିନିଷ । ଆକୃଷ୍ଟ କରୁଛି ନିଖୁଣ କାରୁକାର୍ଯ୍ୟ

247

କନକ ବ୍ୟୁରୋ : ଶିଳ୍ପୀଙ୍କ ହାତର ସ୍ପର୍ଶରେ ତିଆରି ଚାଲିଛି ବିଭିନ୍ନ ଘରକରଣା ଜିନିଷ । ଆକୃଷ୍ଟ କରୁଛି ନିଖୁଣ କାରୁକାର୍ଯ୍ୟ । କାଠରେ ତିଆରି ଚାଲିଛି ବିଭିନ୍ନ ଆସବାବପତ୍ର । ଠାକୁରଙ୍କ ଆସ୍ଥାନ ହେଉ କି ସିଂହାସନ କିମ୍ବା କାଠରେ ତିଆରି ମନ୍ଦିର । ସବୁଠି ଦେଖିବାକୁ ମିଳିଛି ସୁନ୍ଦର କାରୁକାର୍ଯ୍ୟର ନିଦର୍ଶନ । ନିଜ ଆଖିରେ ନଦେଖିଲେ କେହି କେବେ ବିଶ୍ୱାସ କରିପାରିବେ ନାହିଁ ଯେ ଏହା ହାତରେ ତିଆରି ହୋଇଥିବା କାଠର ସୁନ୍ଦର କାରୁକାର୍ଯ୍ୟ । ଆଉ ସେହି ସୁନ୍ଦର କାରୁକାର୍ଯ୍ୟକୁ ନିଜ ହାତରେ ଗଢୁଛନ୍ତି ଶିଳ୍ପୀ ଆଲୋକ ମହାରଣା । ଛୋଟବେଳୁ ଚିତ୍ର ଆଙ୍କିବା ଓ କାଠରେ ଖୋଦେଇ କରିବା ଏବଂ ସେଥିରେ ବିଭିନ୍ନ କଳାକୃତିକୁ ଦର୍ଶାଇବାକୁ ସେ ପସନ୍ଦ କରୁଥିଲେ । ପରେ ଏହାକୁ ନିଜର ପେଶାରେ ପରିଣତ କରିଛନ୍ତି ।

ସାଧାରଣତଃ ଏହାର ମୂଲ୍ୟ ୫ ହଜାର ଠାରୁ ଆରମ୍ଭ କରି ୧୦ ହଜାର ପର୍ଯ୍ୟନ୍ତ ରହିଛି । ଏହାକୁ ଅଫଲାଇନ୍ ସହ ଅନଲାଇନ୍ରେ ମଧ୍ୟ ଲୋକେ ଅର୍ଡର ଦେଇ କିଣିନେଉଛନ୍ତି । ଦିନକୁ ପ୍ରାୟ ୧୫ରୁ ୧୬ ଘଂଟା ଏହି କାମ ପାଇଁ ସେ ମସୟ ଦେଇଥାଆନ୍ତି । କାଠରେ ବିଭିନ୍ନ ରକମର ଡାଳି, ମୟୁର, ଫୁଲ, ବିଭିନ୍ନ ପଶୁ ପକ୍ଷୀର ଚିତ୍ର ତାଙ୍କର ସବୁ କାରୁକାର୍ଯ୍ୟରେ ଦେଖିବାକୁ ମିଳିଥାଏ । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି କଳାକୃତି କରୁଥିବା କହିଛନ୍ତି ଶିଳ୍ପୀ ଆଲୋକ ମହାରଣା ।

ଗ୍ରାହକଙ୍କ ପସନ୍ଦର ଡ଼ିଜାଇନ ଅନୁସାରେ ପ୍ରସ୍ତୁତ କରୁଛନ୍ତି କାରିଗର । କେବଳ ଓଡ଼ିଶାରେ ନୁହେଁ ଏହାର ଚାହିଦା ରାଜ୍ୟ ବାହାରେ ମଧ୍ୟ ରହିଛି । ତାମିଲନାଡ଼ୁ, ତେଲେଙ୍ଗାନା, କେରଳ, ଦିଲ୍ଲୀ, ମୁମ୍ବାଇରୁ ଲୋକେ ଅର୍ଡ଼ର ଦେଇ କିଣିନେଉଛନ୍ତି । ଏହା ସହ ବିଦେଶକୁ ମଧ୍ୟ ତାଙ୍କ ହାତ ତିଆରି ଜିନିଷର ରପ୍ତାନି ହେଉଛି । ନେପାଳ, ସିଙ୍ଗାପୁର ଭଳି ଦେଶକୁ ତାଙ୍କ କଳାକୃତି ପଠାଯାଉଛି ।