ଛତୁ ମଞ୍ଜି ଉତ୍ପାଦନ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଅନ୍ନଦାତା । ଜାଣନ୍ତୁ ପ୍ରଦୀପ୍ତ ସ୍ୱାଇଁଙ୍କ ସଂଘର୍ଷର କାହାଣୀ

125

କନକ ବ୍ୟୁରୋ : ଛତୁ ଚାଷ ଏକ ଲାଭଜନକ ଚାଷ । ଏହି ଚାଷରୁ କମ୍ ସମୟରେ ଅଧିକ ଅମଳ ସହ ଭଲ ରୋଜଗାର ମିଳିଥାଏ । ଯାହାକୁ ଅପଣାଇ ଗାଁ ଗହଳିର ଅଧିକାଂଶ ଚାଷୀ ଲାଭବାନ ହେଉଛନ୍ତି । ଏହା ଏକ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ହୋଇଥିବା ବେଳେ ସବୁବେଳେ ବଜାରରେ ଏହାର ଚାହିଦା ମଧ୍ୟ ରହିଛି । ଏହି ବ୍ୟବସାୟକୁ ଆପଣାଇ ଉଭୟ ଚାଷୀ ଓ ବ୍ୟବସାୟୀ ଅତ୍ମନିର୍ଭର ହୋଇପାରୁଛନ୍ତି । ତେବେ ଛତୁ ଚାଷ କରିବା ପାଇଁ ପ୍ରଥମେ ଛତୁ ମଂଜିର ଆବଶ୍ୟକତା ରହିଥାଏ । ଏହି ଛତୁ ମଂଜି ଉତ୍ପାଦନ କରି ଏହାକୁ ବିକ୍ରି କରି ରୋଜଗାର କରୁଛନ୍ତି ନିମାପଡ଼ା ଅଂଚଳର ପ୍ରଦୀପ୍ତ ସ୍ୱାଇଁ । ଜଣେ କୃଷି ବିଜ୍ଞାନୀଙ୍କ ପ୍ରେରଣାରେ ପ୍ରଥମେ ଗୋଟିଏ ଛତୁ ମେସିନ୍ ବସାଇ ଆରମ୍ଭ କରିଥିଲେ ମଂଜି ଉତ୍ପାଦନ ୟୁନିଟ୍ । ପ୍ରଥମେ ଦୈନିକ ୧୦୦୦ ବୋତଲ ଛତୁ ମଞ୍ଜି ଉତ୍ପାଦନ କରୁଥିବା ପ୍ରଦୀପ୍ତ ଏବେ ୫ରୁ୧୦ଟି ମେସିନ ବସାଇ ଦୈନିକ ୪ହଜାର ବୋତଲ ମଞ୍ଜି ଉତ୍ପାଦନ କରୁଛନ୍ତି । ଉତ୍ପାଦିତ ମଞ୍ଜିକୁ କିଣିବା ପାଇଁ ସ୍ଥାନୀୟ ଅଂଚଳର ଚାଷୀଙ୍କ ସହିତ ବାହାର ଜିଲ୍ଲାର ଚାଷୀମାନେ ତାଙ୍କ ନିକଟକୁ ଆସୁଛନ୍ତି । ଖାଲି ସେତିକି ନୁହେଁ ପରିବାର ସହଯୋଗରେ ଛତୁ ଚାଷକରି ବେଶ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ପ୍ରଦୀପ୍ତ ।

ମଂଜି ଉତ୍ପାଦନ ପାଇଁ ପ୍ରଥମେ ଉତମ ମାନର ଗହମ ଆବଶ୍ୟକ ହୋଇଥାଏ । ଏହାକୁ ଏକ ବଡ଼ ଟବରେ ନେଇ ଭଲଭାବେ ସିଝାଇବାକୁ ପଡ଼ିଥାଏ । ପରେ ସିଝା ଗହମକୁ ଖରାରେ ୧ଘଂଟା ପର୍ଯ୍ୟନ୍ତ ଭଲଭାବରେ ଶୁଖାଇ ଦିଆଯାଏ । ପରେ ଶୁଖା ଗହମରେ ଚକ୍ ପାଉଡ଼ର ଗୋଳାଇ ତାକୁ ବୋତଲରେ ପ୍ୟାକିଂ କରାଯାଏ । ପରବର୍ତୀ ସମୟରେ ହିଟମେସିନିରେ ୨ଘଂଟା ଧରି ରଖାଯାଏ । ଏହାଦ୍ୱାରା ଗହମରେ ରହିଯାଇଥିବା ପାଣି ବାହାରିଯିବା ସହିତ ବିହନ ପୁରା ଶୁଖିବା ସହ ଅଧିକ ଦିନ ସଂରକ୍ଷିତ ରହିଥାଏ । ଶେଷରେ ମେସିନରୁ ବାହାର କରିବା ପରେ ଫିମ୍ପି ଦିଆଯାଇ ବୋତଲକୁ ତୁଳାଦ୍ୱାରା ସିଲ କରାଯାଇଥାଏ । ୪ ରୁ ୫ ଦିନ ପରେ ଫିମ୍ପି ହେବା ପରେ ତାକୁ ବିହନ ଭାବେ ଚାଷୀଙ୍କୁ ବିକ୍ରୟ କରାଯାଇଥାଏ ।

ପ୍ରଦୀପ୍ତ ବହୁକଷ୍ଟରେ ୪୦ ହଜାରୁ ଟଙ୍କାରୁ ଆରମ୍ଭ କରିଥିବା ୟୁନିଟ୍ ଏବେ ୫ଲକ୍ଷ ଟଙ୍କାରେ ପହଂଚି ପାରିଛି । ପ୍ରଦୀପ୍ତଙ୍କ କଠିନ ପରିଶ୍ରମ ଯୋଗୁଁ ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।