ପାଣି ନାହିଁ ତ ଭୋଟ୍ ନାହିଁ: କେନ୍ଦ୍ରାପଡା ରାଜନଗର ବ୍ଲକ ତାଳଚୁଆ ପଂଚାୟତବାସୀଙ୍କ ଜଳ ଯନ୍ତ୍ରଣାର କାହାଣୀ

33

କନକ ବ୍ୟୁରୋ: ବଢୁଛି ଗ୍ରୀଷ୍ମପ୍ରବାହ । ଡହଡହ ଖରା ସାଙ୍ଗକୁ ଜଳ ଯନ୍ତ୍ରଣା ଅସହ୍ୟ ହୋଇଗଲାଣି । ରାତି ପାହିଲେ ପାଣି ଟୋପାଏ ପାଇଁ ସଂଘର୍ଷ କରୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ପଂଚାୟତବାସୀ । ପ୍ରାୟ ୧୫୦ରୁ ଅଧିକ ପରିବାର ପାଣିପାଇଁ ଡହଳ ବିକଳ ହେଉଛନ୍ତି । କିଏ ଗରା ବାଲତି ଧରି ମାଇଲ ମାଇଲ ଦୂରକୁ ଯାଉଛି ତ ଆଉ କିଏ କୁମ୍ଭୀର ଥିବା ନାଳ ଡେଇଁ ପାଣି ପାଇଁ ଯାଉଛି । ଗାଁରେ ଥିବା ନଳକୂପରୁ ବାହାରୁଛି ଲୁଣି ପାଣି । ପୋକ ସାଲୁବାଲୁ ଦୁର୍ଗନ୍ଧଯୁକ୍ତ ପାଣି ବାହାରୁଥିବାରୁ ସେହି ପାଣିକୁ ବ୍ୟବହାର କରି ରୋଗଗ୍ରସ୍ତ ହୋଇପଡୁଛି ଗ୍ରାମବାସୀ । ବହୁବାର ସମସ୍ୟା ଜଣାଇଲେ ପ୍ରତିଶ୍ରୁତିରେ ସରିଯାଉଛି କାମ । ଚଳିତଥର ବି ମିଳିଛି ପ୍ରତିଶ୍ରୁତି । ହେଲେ ଗାଁରେ ନଳକୂଅ ନବସାଇଲେ ଆମେ ଭୋଟ ଦେବୁନି ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଡହ ଡହ ଖରାରେ ପାଣି ଗରାଏ ଆଣି ଘରେ ପହଂଚିିବା କଷ୍ଟ ସାଧ୍ୟ ହୋଇଗଲାଣି । ନଦୀ ନାଳ ଘେରା ଏହି ଅଂଚଳରେ ଜଳ ସମସ୍ୟା ଏବେ ଉତ୍କଟ ହୋଇଛି । ନଦୀ ମାନଙ୍କରେ କୁମ୍ଭୀରଙ୍କ ଉପଦ୍ରବ ବଢିଥିବାରୁ ଲୋକେ ପାଣି ପାଇଁ ନଦୀକୁ ଯାଇପାରୁନାହାଁନ୍ତି । ପାଣି ନମିଳିଲେ ଭୋଟ ବର୍ଜନ କରିବୁ ବୋଲି କହିଥିବା ବେଳେ ଖୁବ୍ଶୀଘ୍ର ଏହି ଗାଁକୁ ନଳକୂପ ଯୋଗାଇ ଦିଆଯିବ ବୋଲି ରାଜନଗର ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ପାଣି ମୁନ୍ଦାଏ ପାଇଁ ଗାଁର ଲୋକମାନେ ବହୁ ଅସୁବିଧା ଭୋଗୁଥିବା ବେଳେ ପାଣିର ସବୁିଧା କରାଯାଇପାରିଲେ ଗାଁର ଲୋକମାନେ ଉପକୃତ ହୋଇପାରିବେ ।