ଶିବସେନାରେ ପୁଣି ବିଦ୍ରୋହ : ବିଧାୟକଙ୍କ ପରେ ଏବେ ୧୨ ଶିବସେନା ସାଂସଦ କରିପାରନ୍ତି ବିଜେପିକୁ ସମର୍ଥନ

148

କନକ ବ୍ୟୁରୋ : ଶିବସେନାରେ ପୁଣିଥରେ ଫାଟ ସୃଷ୍ଟି ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥର ଏହି ଚର୍ଚ୍ଚା ଶିବସେନାର ସାଂସଦଙ୍କୁ ନେଇ କରାଯାଉଛି । ମିଳିଥିବା ସୂଚନା ଅନୁସାରେ, ଆଜି ଶିବସେନାର ୧୨ ଜଣ ସାଂସଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିପାରନ୍ତି । ଏଥିପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୨ ଜଣ ସାଂସଦଙ୍କ ସହ ସିନ୍ଦେ ଅନଲାଇନ୍ ବୈଠକ କରିଛନ୍ତି ।

ଏକନାଥ ସିନ୍ଦେଙ୍କ ଏହି ପଦକ୍ଷେପ ଦ୍ୱାରା ଉଦ୍ଧବ ଠାକରେଙ୍କୁ ଆଉଏକ ଝଟକା ଲାଗିପାରେ ବୋଲି ଅନୁମାନ କରାଯାଉଛି । ସେପଟେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଘୋଷଣା କରିଥିବା ସୂଚନା ମିଳିଛି । ଶିବସେନାର ବିଦ୍ରୋହୀ ବିଧାୟକମାନେ ଏକନାଥଙ୍କୁ ନୂଆ ନେତା ଭାବେ ବାଛିଛନ୍ତି । କିନ୍ତୁ ସବୁଠୁ ବଡ଼ କଥା ହେଉଛି ଶିବସେନାର ମୁଖ୍ୟ ପଦ ହଟାଯାଇ ନାହିଁ । ଅର୍ଥାତ୍ ଉଦ୍ଧବଙ୍କ ପଦରେ ସେମାନେ କୌଣସି ପରିବର୍ତ୍ତନ ଆଣିନାହାନ୍ତି । ସେହିପରି ଉଦୟ ସାମନ୍ତ, ଗୁଲାବରାଓ ପାଟିଲ, ଅଧଲରାଓ ପାଟିଲ, ବିଜୟ ନେହଟା ଓ ଯଶୱନ୍ତ ଯାଦବଙ୍କୁ ଉପନେତା ଭାବେ ନିଯୁକ୍ତ କରାଯାଇଛି ।