ଥମୁନି ଚିତା ମୃତ୍ୟୁ ମାମଲା. କୁନୋ ନ୍ୟାସନାଲ ପାର୍କରୁ ଦୁଇଦିନ ଧରି ନିଖୋଜ ଥିବା ଚିତାର ମୃତଦେହ ଉଦ୍ଧାର

170

କନକ ବ୍ୟୁରୋ : ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ ହୋଇଛି । ନାମ୍ବିଆରୁ ଅଣାଯାଇଥିବା ଚିତା ତଲ୍ଲିଶୀର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ବିଦେଶରୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ୯ଟି ଚିତାର ମୃତ୍ୟୁ ହୋଇସାରିଲାଣି । କୁହାଯାଇଛି କି, ଦୁଇଦିନ ହେବ ଏହି ଚିତାଟିର ସନ୍ଧାନ ମିଳୁନଥିଲା । କୁନୋର ବାହାର ଅଞ୍ଚଳରୁ ଏବେ ଚିତାର ମୃତଦେହ ଉଦ୍ଧାର କରାଯାଇଛି । ଚିତାର ଗଳାରେ ଲଗାଯାଇଥିବା ରେଡିଓ କଲାର ଆଇଡି ଖରାପ ଥିବାରୁ ଚିତାଟିର ସନ୍ଧାନ ମିଳିନଥିଲା । ହେଲେ ବନବିଭାଗର ଡ୍ରୋନ କ୍ୟାମେରା ସହାୟତାରେ ଚିତାଟିର ସନ୍ଧାନ କରିବାରେ ଲାଗିଥିଲା ବନ ବିଭାଗ ।

କହିରଖୁ କି ଏହି ନ୍ୟାସନାଲ ପାର୍କରେ ପ୍ରତିମାସରେ ଚିତା ମୃତ୍ୟୁର ଖବର ଆସୁଛି । ଏନେଇ ନିୟୋଜିତ ଥିବା ଅଧିକାରୀମାନେ ଚିତା ମୃତ୍ୟୁ ପାଇଁ କେବେ ରୋଗ ପାଇଁ ତ କେବେ ନିଜ ନିଜ ଭିତରେ ଲଢେଇ ପାଇଁ ମୃତ୍ୟୁ ହେଉଥିବା କାରଣ ଦର୍ଶାଉଛନ୍ତି । ହେଲେ ପ୍ରଶ୍ନ ଉଠୁଛି କି କୁନୋ ନ୍ୟାସନାଲ ପାର୍କ ଭିତରେ ଜୀବଜନ୍ତୁଙ୍କ ଚିକିତ୍ସା ପାଇଁ ଯେତେବେଳେ ସମସ୍ତ ସୁବିଧା ଥିବା ହସ୍ପିଟାଲ ରହିଛି, ଡାକ୍ତର ଓ ବିଶେଷଜ୍ଞମାନେ ରହିଛନ୍ତି ସେତେବେଳେ କାହିଁକି ଚିତା ମୃତ୍ୟୁକୁ ରୋକାଯାଇପାରୁ ନାହିଁ ।