ମାଓ ବିରୋଧୀ ଭିଡିଓ କଲେ, ଗୁଳି ଖାଇଲେ। ମାଓବାଦୀଙ୍କ ଟାର୍ଗେଟରେ ଯୁବକ!

131

କନକ ବ୍ୟୁରୋ: ୟୁଟ୍ୟୁବରେ ନକ୍ସଲ ବିରୋଧୀ ଭିଡିଓ କରିଛନ୍ତି ଛତିଶଗଡ ଭୂତବେଡା ନିବାସୀ ହିନ୍ଦୁ ମାର୍କମ । ଗତ ୧୫ ତାରିଖରେ ବିଚ ରାସ୍ତାରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ମାର୍କମଙ୍କ ନାଁରେ ଅଭିଯୋଗ ହେଲା, ସେ ପୁଲିସ ଇନଫର୍ମର ଥିଲେ । ନବରଙ୍ଗପୁର ଏସପି ଓ ଛତିଶଗଡର ଗାରିଆବନ୍ଧ ଏସପିଙ୍କୁ ସେ ସହାୟତା କରୁଥିଲେ । କିଛି ଦିନ ତଳେ ମାଓବାଦୀ ହିନ୍ଦୁ ମାର୍କମଙ୍କୁ ମାଡ ମାରି ଗାଁରୁ ତଡିଦେଇଥିଲେ । ଭୟରେ ସେ ଛତିଶଗଡର ଭୁତାବେଡା ଗାଁ ଛାଡି ୬-୭ ମାସ ହେଲା ନବରଙ୍ଗପୁରର ରାଇଘରରେ ରହୁଥିଲେ । ଏହାକୁ ନେଇ ସେ ୟୁଟ୍ୟୁବ ଭିଡିଓ ବି ବନାଇଥିଲେ । ଏଥିରେ ସେ ମାଓବାଦୀଙ୍କୁ ଟାର୍ଗେଟ କରିଥିଲେ ।

ଗୁଳିମାଡ ପରେ ହିନ୍ଦୁ ମାର୍କମ ଏବେ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ମାଓବାଦୀ ଲଗାଇଥିବା ପୋଷ୍ଟର ଘଟଣା ନେଇ ସନ୍ଦେହକୁ ବଢାଇଦେଇଛି । ଛତିଶଗଡ-ଓଡିଶା ସୀମାନ୍ତରେ ସକ୍ରିୟ ଥିବା ମାଓ ସଙ୍ଗଠନ ସୀତାନଦୀ ଏରିଆ କମିଟି ପକ୍ଷରୁ ନବରଙ୍ଗପୁରର ହାତୀଗାଁ ଅଞ୍ଚଳରେ ମାଓପୋଷ୍ଟର ଲଗାଯାଇଛି । ଏଥିରେ ଘଟଣା ପଛରେ ମାଓବାଦୀଙ୍କ ହାତ ଥିବା ଦାବି କରାଯାଇଛି । ପୋଷ୍ଟରରେ ଲେଖାଯାଇଛି, ମାଓବାଦୀଙ୍କ ଟାର୍ଗେଟରେ ଅଛନ୍ତି ହିନ୍ଦୁ ମାର୍କମ । ତେବେ ଏହି ପୋଷ୍ଟରର ସତ୍ୟତା କେତେ ଅଛି ଓ ଗୁଳିମାଡ ଘଟଣାରେ ଅନ୍ୟ କିଏ ସମ୍ପୃକ୍ତ ରହିଛି ସେନେଇ ତଦନ୍ତ କରୁଛି ପୁଲିସ ।

ପୋଷ୍ଟରରେ ଉଲ୍ଲେଖ ଅଛି, ଦୀର୍ଘବର୍ଷ ହେବ ମାଓବାଦୀଙ୍କ ପାଇଁ କାମ କରୁଥିଲେ ହିନ୍ଦୁ ମାର୍କମ । କିନ୍ତୁ ଗତ ୫ ବର୍ଷ ହେବ ସେ ମାଓବାଦୀଙ୍କ ହାତ ଛାଡି ପୁଲିସ ପ୍ରଶାସନକୁ ସହଯୋଗ କରୁଥିଲେ ଓ ନକ୍ସଲ ବିରୋଧୀ ଭିଡିଓ ତିଆରି କରି ଚର୍ଚ୍ଚାରେ ଥିଲେ । ମାଓବାଦୀ ଏଥିପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ଚେତାବନୀ ଦେଇଥିଲେ । ଏହାଛଡା ମାର୍କମଙ୍କ ନାଁରେ ଛତିଶଗଡରେ ଜବରଦସ୍ତ ଟଙ୍କା ଆଦାୟ ସହ ଟଙ୍କା ହଡପ କରିବା ଭଳି ସଙ୍ଗୀନ ଅଭିଯୋଗ ବି ରହିଛି । ତେଣୁ ଗୁଳିକାଣ୍ଡ ପଛରେ କିଏ ସେ ନେଇ ସନ୍ଦେହ ଉପୁଜିଛି ।