ଜମୁଛି ଶୀତଳା ଠାକୁରାଣୀଙ୍କ ଯାତ୍ରା : ୧୧ ଦିନ ଧରି ଚାଲିଥିବା ବେଳେ ଆଜି ହେବ ଉଦଯାପିତ

140

କନକ ବ୍ୟୁରୋ : ରାଜ୍ୟର ସୀମାନ୍ତ ଜିଲ୍ଲା କୋଟ୍ଟପାଡରେ ପାଳିତ ହେଉଛି ମା ଶୀତଳା ଠାକୁରାଣୀଙ୍କ ଘଟଯାତ୍ରା । ପ୍ରତି ୩ ବର୍ଷରେ ଥିରେ ମା’ଙ୍କ ଏହି ପର୍ବ ପାଳନ ହୋଇଥାଏ । କରୋନା ପାଇଁ ଏହି ଘଟଯାତ୍ରା ବନ୍ଦ ଥିଲା । ଏବେ ୬ ବର୍ଷ ପରେ ପାଳିତ ହେଉଛି ମାଆଙ୍କ ଯାତ୍ରା । ମା’ଙ୍କ ଘଟଯାତ୍ରା ଦେଖିବାକୁ ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିଥାଏ । କୁହାଯାଏ, ଭକ୍ତିରେ ମା’ଙ୍କୁ ସ୍ମରଣ କଲେ ମନସ୍କାମନା ପୂରଣ ହୋଇଥାଏ । ମା’ଙ୍କ ଯାତ୍ରା ପାଇଁ ସଜେଇ ହୋଇଛି କୋଟ୍ଟପାଡ । ସୀମାନ୍ତରେ ରହିଥିବାରୁ ଏଠାରେ ପଡୋଶୀ ରାଜ୍ୟରୁ ମଧ୍ୟ ଶ୍ରଦ୍ଧାଳୁ ଆସିଥାନ୍ତି ।

କୋଟପାଡର ଘଟଯାତ୍ରା ୨୬ ତାରିଖରୁ ଆରମ୍ଭ ହୋଇଥିଲା । ୧୧ ଦିନ ପରେ ବୁଧବାରଦିନ ଏହା ଉଦଯାପିତ ହେବ । ପ୍ରତିଦିନ ହୋମଯଜ୍ଞ ସରିଲେ ମା’ ବାହାରନ୍ତି ଦାଣ୍ଡ ବୁଲିବା ପାଇଁ । କୁହାଯାଏ, ଭକ୍ତଙ୍କ ମନସ୍କାମନା ପୂରଣ ପାଇଁ ସାହି ସାହି ବୁଲନ୍ତି ମାଆ । ଭକ୍ତମାନେ ଘର ଦାଣ୍ଡରେ ଭୋଗ, ରାଗ, ଧୂପ , ଦୀପ ଦେଇ ମାଆଙ୍କ ଆଗମନକୁ ଅପେକ୍ଷା କରିଥାନ୍ତି । ମଙ୍ଗଳବାରଦିନ ମାଆଙ୍କ ଚଣ୍ଡୀପୂଜା ହୋଇଛି । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ମନ୍ଦିରରରେ ମାଆଙ୍କୁ ଭତ୍ରା ଓ ମାଳି ସମାଜ ଲୋକ ପୂଜା କରିଛନ୍ତି । କିନ୍ତୁ ଘଟଯାତ୍ରାରେ ପୂଜା କରିଥାନ୍ତି ବ୍ରାହ୍ମଣ । ପୂର୍ଣ୍ଣାହୂତି ପରେ ପୁଣି ଭଦ୍ରା ଓ ମାଳି ସମାଜ ପୂଜା କରିଥାନ୍ତି ।