ଆଜିଠାରୁ ବଦଳିବ ଓଡ଼ିଶାର ପାଗ: ମୌସୁମୀକୁ ସକ୍ରିୟ କରିବ ଲଘୁଚାପ, ୩ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଅରେଂଜ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

1,273

କନକ ବ୍ୟୁରୋ: ବଦଳିବ ପାଗ। ତାପମାତ୍ରା କମିବା ସହ ଅର୍ଧାଧିକ ଜିଲ୍ଲାରେ ହାଲକା ବର୍ଷା ହେବ। ଗତରାତିଠାରୁ କୋରାପୁଟ, ଗଜପତି, ମୟୂରଭଞ୍ଜ ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିବ। ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି। ଜୁଲାଇ ୩ ଯାଏ ସାରା ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି।

https://www.skymetweather.com/

ସେପଟେ ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପୁଣିଥରେ ମୌସୁମୀକୁ ସକ୍ରିୟ କରିବ। ପ୍ରଭାବରେ କେନ୍ଦ୍ରୀୟ ଭାରତ ତଥା ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରେ ବର୍ଷା କରାଇବ। ଓଡ଼ିଶାରେ ୩ ଦିନ ଲାଗି ପ୍ରବଳରୁ ଅତିପ୍ରବଳ ବର୍ଷା ସହ ପବନ ହେବାର ଆଶଙ୍କା ରହିଛି। ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ହୋଇପାରେ। ତେଣୁ ଯେଉଁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ସେମାନେ ୨୯ ତାରିଖ ରାତି ସୁଦ୍ଧା ଉପକୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ୩୦ ଓ ୧ ତାରିଖରେ ଉତ୍ତର ବଙ୍ଗୋପସାଗର ସମୁଦ୍ରକୁ ନ ଯିବାକୁ ବି କୁହାଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗତ ୪ରୁ ୫ ଦିନ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ତେବେ ବର୍ଷାର ପରିମାଣ କମ୍ ରହିଥିଲା। ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ବେଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ଥିଲା। ଯଦି ଏହା ସକ୍ରିୟ ହୋଇଥାନ୍ତା ତେବେ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥାଆନ୍ତା। ଏବେ ସୃଷ୍ଟି ହୋଇଥିବା ଲଘୁଚାପ ମୌସୁମୀକୁ ପୁଣିଥରେ ସକ୍ରିୟ କରାଇବ। ୩୦ ତାରିଖଠାରୁ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆଜି ଉପକୂଳବର୍ତ୍ତୀ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ତେବେ ୩୦ ତାରିଖ ପରେ ଓଡ଼ିଶାର ସବୁ ଜିଲ୍ଲାରେ ବର୍ଷା ହୋଇପାରେ। ଏହାସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ।