ପୁରୀରେ ରଥଯାତ୍ରା ସମନ୍ୱୟର ଶେଷ ବୈଠକ : ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

75

କନକ ବ୍ୟୁରୋ : ପୁରୀରେ ଆଜି ରଥଯାତ୍ରା ସମନ୍ୱୟର ଶେଷ ବୈଠକ ବସିବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ । ଦିନ ପ୍ରାୟ ୧୧ଟାରେ ନୀଳାଦ୍ରୀ ଭକ୍ତ ନିବାସଠାରେ ଏହି ବୈଠକ ଅନୁଷ୍ଠିତ ହେବ । ତୃତୀୟ ସମନ୍ୱୟ ବୈଠକରେ ମନ୍ତ୍ରୀ ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

ସେପଟେ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମାପନ କରିବାକୁ ଅଂଟା ଭିଡିଛି ପୁରୀ ପ୍ରଶାସନ । ଜିଲ୍ଲାପାଳ କହିଛନ୍ତି, ପୁରୀ ସହର ଓ ସହରତଳି ଅଂଚଳରେ ବାତ୍ୟାରେ ଅଚଳ ହୋଇପଡିଥିବା ୫ ହଜାର ୫ଶହ ହାଇମାଷ୍ଟ ଲାଇଟ୍ର ମରାମତି ଶେଷ ହୋଇଛି । ରଥାଯାତ୍ରା ଅବସରରେ ସହର ମଧ୍ୟରେ ୫ଶହଟି ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଇଛି । ପିଇବା ପାଣି ପାଇଁ ୩୨ ଟି ଟ୍ୟାଙ୍କର ରଖାଯାଇଛି । ବିଜୁଳି ଓ ଡ୍ରେନ୍ ତଥା ଅନ୍ୟାନ୍ୟ କାର୍ଯ୍ୟର ତଦାରଖ ପାଇଁ ୨ ହଜାର ସରକାରୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ଟି ସରକାରୀ ଆମ୍ବୁଲାନ୍ସ ସଜାଗ ରହିବ । ସେହିପରି ଭକ୍ତଙ୍କ ସୁରକ୍ଷା ପାଇଁ ୪ ଜଣ ଆଇଜିଙ୍କୁ ଦାୟିତ୍ୱ ଦିଆଯାଇଛି । ୧୫୫ ପ୍ଲାଟୁନ୍ ଫୋର୍ସ ଏବଂ ପୋଲିସ ଅଧିକାରୀଙ୍କୁ ମିଶାଇ ଏଥର ୧୦ ହଜାର ପୋଲିସ ରଥଯାତ୍ରାରେ ମୁତୟନ ରହିବେ ।