ଯୁବକଙ୍କୁ ମହଙ୍ଗା ପଡିଲା ଅଭିନେତ୍ରୀଙ୍କ ସହିତ ପ୍ରେମ । ମାଟ୍ରିମୋନିଆଲରେ ସମ୍ପର୍କ ପରେ ପ୍ରେମିକାକୁ ଲକ୍ଷାଧିକ ଟଙ୍କା ଓ ଲାପଟପ ଉପହାର ଦେଇଥିବା ଅଭିଯୋଗ ।

2,521

କନକ ବ୍ୟୁରୋ : ପ୍ରେମିକକୁ ଠକି ଦେଲା ପ୍ରେମିକା । ପ୍ରେମ କରି ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେବା ପରେ ପ୍ରତାରଣା କଲା ପ୍ରେମିକା । ଏ ପ୍ରେମିକା ଏମିତି ସେମିତି ପ୍ରେମିକା ନୁହଁନ୍ତି, ସେ ଜଣେ ଓଲିଉଡ ଅଭିନେତ୍ରୀ । ପ୍ରେମିକା ଠାରୁ ପ୍ରତାରିତ ହେବା ପରେ ଏଭଳି ଅଭିଯୋଗ ଆଣିଛନ୍ତି ବିଶାଖାପାଟଣାର ପଦ୍ମରାଜୁ ରବିକୁମାର ।

ରବି କୁମାରଙ୍କ କହିବା ଅନୁସାରେ ମାଟ୍ରିମୋନି ସାଇଟରୁ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଚିନ୍ମୟୀ ନିଜ ଆଡୁ ରବି କୁମାରଙ୍କ ସହ ସଂପର୍କ ଯୋଡି ଥିଲେ । ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଆଉ ଏହି ସଂପର୍କର ଫାଇଦା ଉଠାଇ ଅଭିନେତ୍ରୀ ଚିନ୍ମୟୀ, ରବି କୁମାରଙ୍କ ଠାରୁ ପର୍ଯ୍ୟାୟକ୍ରମେ ଲକ୍ଷାଧିକ ଟଙ୍କା, ସୁନା ଚେନ୍ ଓ ଲାପଟପ୍ ନେଇଯାଇଥିବା ଅଭିଯୋଗ କରିଛନ୍ତି ପ୍ରେମିକ ରବି କୁମାର ।
ତେବେ ସବୁକିଛି ଠିକ୍ଠାକ୍ ଚାଲିଥିଲା । ହେଲେ ଯେତେବେଳେ ବିବାହ ପାଇଁ ରବି କୁମାର କହିଲେ, ତା ପରେ ବିଭିନ୍ନ ବାହାନା ଦେଖାଇ ବିବାହ ପ୍ରସ୍ତାବକୁ ଏଡାଇ ଯାଇଥିଲେ ଚିନ୍ମୟୀ । ଏହାପରେ ଚିନ୍ମୟୀଙ୍କ ବାବଦରେ ଖୋଳତାଡ କରିଥିଲେ ରବି କୁମାରଙ୍କ ପରିବାର । ଆଉ ଜାଣିବାକୁ ପାଇଥିଲେ ଯେ, ଅଭିନେତ୍ରୀ ତାଙ୍କୁ ଧୋକା ଦେଇଛନ୍ତି ।

ଚିନ୍ମୟୀ ବିବାହ ପ୍ରସ୍ତାବକୁ ଖଣ୍ଡନ କରିବା ପରେ ଉପହାର ସ୍ୱରୁପ ତାଙ୍କୁ ଦେଇଥିବା ଟଙ୍କା, ସୁନା ଚେନ୍ ଓ ଲାପଟପ୍ ମାଗିଛନ୍ତି ରବି କୁମାର । ହେଲେ ଏସବୁ ଫେରାଇବା ବଦଳରେ ଅଭିନେତ୍ରୀ ତାଙ୍କୁ ପ୍ରତାରଣା କରିଥିବା ଓଡିଶା ପୁଲିସକୁ ଜଣାଇଛନ୍ତି ବିଶାଖାପାଟଣାର ଯୁବକ ରବି କୁମାର । ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିନେତ୍ରୀ ଚିନ୍ମୟୀ ନାୟକ ।