ସାମନାକୁ ଆସିଲା ଶରଣାର୍ଥୀ ଶିବିରର ସତ! କର୍ଣ୍ଣାଟକରେ ଶିବିର ନିର୍ମାଣ ଶେଷ, ଆସାମରେ ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ ।

498

କନକ ବ୍ୟୁରୋ: ଶରଣାର୍ଥୀ ଶିବିର ନେଇ ଖୋଲିବାରେ ଲାଗିଛି ଗୁମର । ସାରା ଦେଶରେ ଏନଆରସି ଲାଗୁ ହେବା ନେଇ କୌଣସି ନିଷ୍ପତି ନିଆଯାଇନଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ପରେ ସାମନାକୁ ଆସିଛି ସତ । କର୍ଣ୍ଣାଟକରେ ଏକ ଶରଣାର୍ଥୀ ଶିବିରକୁ ଉନ୍ମୋଚନ କରିଛନ୍ତି ସ୍ଥାନୀୟ ପ୍ରଶାସନ । ଆଉ ସେପଟେ ଆସାମରେ ଜୋରସୋରରେ ଆଗେଇ ଚାଲିଛି ଶରଣାର୍ଥୀ ଶିବିରର ନିର୍ମାଣ କାର୍ଯ୍ୟ ।

ଦେଶରେ ଶରଣାର୍ଥୀ ଶିବିର ନଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବାର ଦିନକ ପରେ ସାମନାକୁ ଆସିଛି ସତ । କର୍ଣ୍ଣାଟକ ବେଙ୍ଗାଲୁର ଠାରୁ ୪୦ କିଲୋମିଟର ଦୂର ଗାଁରେ ଏକ ଶରଣାର୍ଥୀ ଶିବିରର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ଶିବିର ଜାନୁଆରୀ ମାସରେ ଖୋଲାଯିବ ବୋଲି ଜଣାପଡିଛି । ସେହିପରି ଆସାମର ୬ଟି ଜିଲ୍ଲାରେ ବହୁତଳ ପ୍ରାସାଦ ବିଶିଷ୍ଟ ଶରଣାର୍ଥୀ ଶିବିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ଖବର ସାମାନକୁ ଆସିଛି । କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ଏହି ସବୁ ଶରଣାର୍ଥୀ ଶିବିର ଖୋଲାଯିବ । ଯେଉଁମାନେ ଜାତୀୟ ପଞ୍ଜିକରଣ ତାଲିକାରୁ ବାଦ ପଡିବେ ସେମାନେ ଏହି ଶରଣାର୍ଥୀ ଶିବିରରେ ରହିବେ ବୋଲି କୁହାଯାଉଛି ।

ରବିବାର ଦିଲ୍ଲୀ ରାମଲୀଳା ମୈଦାନରେ ଆୟୋଜିତ ଧନ୍ୟବାଦ ରାଲିରେ ଯୋଗ ଦେଇ ନାଗରିକତା ସଂଶୋଧନ ଆଇନ ଓ ଏନଆରସି ପ୍ରସଙ୍ଗରେ ବିରୋଧୀ ଲୋକମାନଙ୍କୁ ଭ୍ରମିତ କରୁଛନ୍ତି ବୋଲି କହିଥିଲେ ମୋଦି । ଏହା ସହିତ ଏନଆରସି ଲାଗୁ ହେଲେ ବାଦ ପଡୁଥିବା ଲୋକମାନଙ୍କୁ ଶରଣାର୍ଥୀ ଶିବିରରେ ରହିବାକୁ ପଡିବ ବୋଲି ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ଏବଂ ଦେଶରେ ଏଭଳି କୌଣସି ଶରଣାର୍ଥୀ ଶିବର ନାହିଁ ବୋଲି କହିଥିଲେ ।
ଗୋଟିଏ ପଟେ ମୋଦିଙ୍କ ବୟାନ ଅନ୍ୟପଟେ ଶରଣାର୍ଥୀ ଶିବିରର ସତ ସାମନାକୁ ଆସିବା ପରେ ଏହା ସାଧାରଣ ଜନତାକୁ ଦ୍ୱନ୍ଦ୍ୱରେ ପକାଇଛି । ତେଣୁ ସହଜରେ ସରକାର ଉପରେ ବିଶ୍ୱାସ କରିପାରୁନାହାଁନ୍ତି ଲୋକେ । ଯେଉଁଥିପାଇଁ ଦୀର୍ଘ ଦିନ ହେବ ଜଳୁଛି ସାରା ଦେଶ ।