କାଳିଆ ପିନ୍ଧୁଛି ପୁରୁଣା ସୁନା । ରତ୍ନଭଣ୍ଡାର ଖୋଲିବାକୁ ଦାବି କଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ । ଜଗୁନି କହିଲେ, ଭଣ୍ଡାରରେ ରହିଛି ଶଗଡ଼ ଶଗଡ଼ ସୁନା

367

କନକ ବ୍ୟୁରୋ: କାଳିଆ ପିନ୍ଧୁଛନ୍ତି ପୁରୁଣା ସୁନା । ବର୍ତ୍ତମାନ ଥିବା ସୁନା ଭାଙ୍ଗିଗଲାଣି, ମରାମତି ହେଉଛି । ତେଣୁ ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । କନକ ନ୍ୟୁଜକୁ ସେ କହିଛନ୍ତି, ଜଗନ୍ନାଥ ବାରମ୍ବାର ପୁରୁଣା ସୁନା ପିନ୍ଧୁଛନ୍ତି । ବର୍ଷା ହେଲେ ରତ୍ନଭଣ୍ଡାରରେ ପାଣି ପଡି କଣ ନଷ୍ଟ ହେବଣି ତାହା କାହାକୁ ଜଣାନାହିଁ । ଆଉ ସରକାର ଘୋଷଣା କଲେ ଲୋକେ ସୁନା ଗଦା କରିଦେବେ । ତେଣୁ ସରକାର ଶୀଘ୍ର ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଦାବି କରିଛନ୍ତି । ତେବେ ସରକାର ଚାହିଁଲେ ରତ୍ନଭଣ୍ଡାର ଖୋଲିପାରିବ । ସରକାର ଚାହିଁଲେ ଶ୍ରୀମନ୍ଦିରର ଅନେକ ଉନ୍ନତି ହୋଇପାରିବ ବୋଲି କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର । ସୁନା ଥାଇ ବି ଜଗନ୍ନାଥ ପୁରୁଣା ସୁନା ପିନ୍ଧୁଥିବାରୁ ଏହା ଲଜ୍ଜାଜନକ ଘଟଣା ବୋଲି ସେ କହିଛନ୍ତି । ଜଗନ୍ନାଥ ସ୍ୱାଇଁ ମହାପାତ୍ର ଆହୁରି କହିଛନ୍ତି, ରତ୍ନଭଣ୍ଡାର ଖୋଲିଲେ ମହାପ୍ରଭୁଙ୍କ ଆଉ ୪-୫ ସେଟ୍ ଅଳଙ୍କାର ହୋଇପାରିବ । ପୂର୍ବରୁ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ହୋଇଆସୁଛି । ଆଉ ଏହି ସମୟରେ ଶ୍ରୀଜଗନ୍ନାଥ ବାଡଗ୍ରାହୀଙ୍କ ରତ୍ନଭଣ୍ଡାର ଖୋଲିବା ଦାବି ପ୍ରସଙ୍ଗର ଗୁରୁତ୍ୱକୁ ବଢାଇଦେଇଛି ।