ସୁନାବେଶରେ ଝଟକୁଛନ୍ତି ରଥାରୁଢ଼ ଠାକୁର । ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ସଜେଇ ହେଇ ଦେଉଛନ୍ତି ଦର୍ଶନ । ପଢନ୍ତୁ, କେଉଁ ଠାକୁର ପିନ୍ଧିଛନ୍ତି କି ରତ୍ନ ଅଳଙ୍କାର?

812

କନକ ବ୍ୟୁରୋ: ସୁନାରେ ଝଟକିଲେ ମହାବାହୁ । ରଥ ଉପରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ଦିବ୍ୟ ସୁନାବେଶରେ ଦେଇଛନ୍ତି ଦର୍ଶନ । ଆଉ ତିନିଠାକୁରଙ୍କ ଏହି ସୁନାବେଶକୁ ଦେଖିବାକୁ ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର । ତେବେ ରଥଯାତ୍ରାର ପର୍ବ ଭିତରେ ଶ୍ରୀଜିଉଙ୍କ ସୁନାବେଶ ଏକ ଅଲୌକିକ ପର୍ବ । ଏଥିରେ ସାମିଲହୋଇ ନିଜକୁ ଧନ୍ୟ ମନେ କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ ।

ତିନିଠାକୁରଙ୍କ ସୁନାବେଶ ଦେଖିବାକୁ ବଡ଼ଦାଣ୍ଡରେ ନାହିଁ ନଥିବା ଭିଡ଼ । କୋଣ ଅନୁକୋଣରୁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି ଶ୍ରଦ୍ଧାଳୁ । ରଥାରୁଢ଼ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି । ପୂର୍ବରୁ ସୁନାବେଶରେ ଶ୍ରୀଜିଉଙ୍କୁ ୧୩୮ ପ୍ରକାର ଅଳଙ୍କାରରେ ସଜାଇ ଦିଆଯାଉଥିଲା । କ୍ରମେ ଏହି ସଂଖ୍ୟା ହ୍ରାସ ପାଇଛି । ଦେଖନ୍ତୁ, କେଉଁ କେଉଁ ପ୍ରମୁଖ ଅଳଙ୍କାରରେ ସଜେଇ ହୋଇଥାନ୍ତି ଠାକୁର?

ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ଅଳଙ୍କାର ହେଉଛି – ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡିଆଣି, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ହରିଡା କଦମ୍ବ ମାଳି, ବାହାଡା ମାଳି, ତାବିଜ ମାଳି, ସେବତି ମାଳି, ତ୍ରିଖଣ୍ଡିକା, ତ୍ରିଖଣ୍ଡିକା କମରପଟି

ସେହିପରି ଶ୍ରୀବଳଭଦ୍ରଙ୍କ ଅଳଙ୍କାର ମଧ୍ୟରେ ରହିଛି – ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡିଆଣି, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡ଼ା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡା ମାଳି, ବାଘନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି

ଦେବୀ ସୁଭଦ୍ରାଙ୍କ ବିଶେଷ ଅଳଙ୍କାର ମଧ୍ୟରେ ରହିଛି – କିରୀଟ, ଓଡିଆଣି, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡା ମାଳି, କଦମ୍ବ ମାଳି, ତଗଡି ୨ଟି, ସେବତୀ ମାଳି

ଶ୍ରୀଜଗନ୍ନାଥ

  • ଶ୍ରୀହସ୍ତ ଓ ଶ୍ରୀପୟରର ଓଜନ ପ୍ରାୟ ୯ କିଲୋ ୨୭୬ ଗ୍ରାମ
  • ସେହିପରି ମୁକୁଟର ଓଜନ ପ୍ରାୟ ୬ କିଲୋ ୯୧୭ ଗ୍ରାମ

ଶ୍ରୀବଳଭଦ୍ର

  • ଶ୍ରୀହସ୍ତ ଓ ଶ୍ରୀପୟରର ଓଜନ ପ୍ରାୟ ୮କିଲୋ ୫୧ଗ୍ରାମ
  • ତାଙ୍କୁ ଲାଗି ହେଉଥିବା ମୁକୁଟର ଓଜନ ପ୍ରାୟ ୪ କିଲୋ ୯୨୧ ଗ୍ରାମ

ଦେବୀ ସୁଭଦ୍ରା

  • ମୁକୁଟର ଓଜନ ୩ କିଲୋ ୧୦୭ ଗ୍ରାମ