ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣ : କହିଲେ, ବଢ଼ିଛି ଧର୍ତ୍ତବ୍ୟ ଅପରାଧ; ମେକ ଇନ୍ ଓଡ଼ିଶାର ବିଫଳତାକୁ ନିଜେ କରିଛନ୍ତି ସ୍ୱୀକାର

122

କନକ ବ୍ୟୁରୋ : ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ବିବୃତି ପରେ ଘେରିଲେ ବିରୋଧୀ । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଥିବା ଟ୍ୱିଟ୍ କରି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ରାଜ୍ୟ ସରକାର ଦେଇଥିବା ତଥ୍ୟରୁ ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ବେଳେ ବିରୋଧୀଙ୍କ ଲ’ ଲେସନେସ୍ କହିବା ମୁଖ୍ୟମନ୍ତ୍ରୀଙ୍କୁ କାହିଁକି କଷ୍ଟ ଦେଉଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର । ବିରୋଧୀ ଦଳ ନେତା କହିଛନ୍ତି ଶ୍ୱେତପତ୍ରରେ ଥିବା ତଥ୍ୟ ଅନୁସାରେ

– ୨୦୨୧ ତୁଳନାରେ ୨୦୨୨ରେ ଧତବ୍ୟ ଅପରାଧ ହାର ୧୪.୬୫ ପ୍ରତିଶତ ବୃଦ୍ଧି ପାଇଛି
– ୨୦୨୨ରେ ରାଜ୍ୟରେ ୧୩୭୯ ହତ୍ୟା ଏବଂ ୩୧୮୪ ଦୁଷ୍କର୍ମ ମାମଲା ରୁଜୁ ହୋଇଛି
– ୧୯ ପ୍ରତିଶତ ନବଜାତ ଶିଶୁଙ୍କର କମ୍ ଓଜନ ଥିବା ବେଳେ ୩୧% ପୁଷ୍ଟିହୀନତାର ଶିକାର
– ୧୮% ଉଚ୍ଚତା କମ୍ ଓ ୬୦%ରୁ ଅଧିକ ଶିଶୁ ଓ ଗର୍ଭବତୀ ରକ୍ତହୀନତାର ଶିକାର
– ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶାର ବିଫଳତାକୁ ନିଜେ ସ୍ୱୀକାର କରିଛନ୍ତି
– ୨୦୧୬ ଓ ୨୦୧୮ରେ ଆସିଥିବା ୨୮୬ ପ୍ରସ୍ତାବରୁ ୧୦୭ଟି ପ୍ରସ୍ତାବରେ ସହମତି
– ବିଦେଶୀ ପୁଞ୍ଜିନିବେଶରେ ଓଡ଼ିଶାକୁ ଆସିଛି ମାତ୍ର ୦.୦୮ ପ୍ରତିଶତ
– ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାର ୫୩ ଦିନ ପରେ ବି ସତ୍ୟାସତ୍ୟ ଦର୍ଶାଇବାରେ ସରକାର ବିଫଳ

ଗତକାଲି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ସଂକ୍ରାନ୍ତରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ । ଗୃହରେ ବିବୃତି ରଖିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଆସି ପ୍ରତିକ୍ରିୟା ରଖିଥିଲେ । ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଓଡିଶାରେ ଆଇନଶୃଙ୍ଖଳା ଠିକ ନଥିବା କଥା ଅବାସ୍ତବ । ଆଇନଶୃଙ୍ଖଳା ନଥିବା ରାଜ୍ୟରେ ପୁଞ୍ଜି ନିବେଶ ହୁଏ ନାହିଁ, ଦେଶରେ ଓଡିଶାରୁ ଅଧିକ ପୁଞ୍ଜି ନିବେଶ ଆସିଛି । ଆଇନଶୃଙ୍ଖଳା କଥା କହି ବିରୋଧୀ ରାଜ୍ୟବାସୀଙ୍କୁ ଅପମାନିତ କରୁଛନ୍ତି । ଓଡିଶା ଦେଶର ସବୁଠାରୁ ବଡ ପୁଞ୍ଜିନିବେଶ ହୋଇଛି ।

ଆଉ ଏହା ଆଇନ-ଶୃଙ୍ଖଳା ଯୋଗୁଁ ସମ୍ଭବ ହୋଇପାରିଛି । ନିବେଶକ ଓଡିଶାକୁ ଶାନ୍ତିପ୍ରିୟ ରାଜ୍ୟ ବୋଲି କହୁଛନ୍ତି । ବିଶ୍ୱକପ ହକି ସହ ରେକର୍ଡ ଶିଳ୍ପ ଉତ୍ପାଦନ, କୃଷି ଉତ୍ପାଦନ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ଥିବାରୁ ସମ୍ଭବ ହୋଇପାରିଛି ବୋଲି ନବୀନ କହିଛନ୍ତି । ନବଦାସ ହତ୍ୟାକାଣ୍ଡର ତଦନ୍ତ ଚାଲିଛି ଓ ଠିକ ସମୟରେ ଚାର୍ଜସିଟ ଦାଖଲ ହେବ । ଗୋପାଳକୁ ପାଗଳ ଦର୍ଶାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ ଆଣିବା ସଂପୂର୍ଣ୍ଣ ମିିଛି ଏହି ମାମଲାରେ ବିରୋଧୀ ରାଜନୀତି କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିଛନ୍ତି ।