ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟରେ ଲମ୍ବା ତାଲିକା। ସାଧାରଣରେ ପ୍ରଶ୍ନ, ବିଶ୍ୱବିଦ୍ୟାଳୟ ଗଢ଼ିଦେଲେ ବଦଳିଯାଏ କି ଉଚ୍ଚଶିକ୍ଷାର ସ୍ଥିତି?

168

କନକ ବ୍ୟୁରୋ: ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ତାଲିକାରେ ଯୋଡ଼ିହୋଇଛି ଆଉ ଗୋଟିଏ ନାଁ । କେନ୍ଦୁଝରର ଧରଣୀଧର ମହାବିଦ୍ୟାଳୟକୁ ମିଳିଛି ବିଶ୍ୱବିଦ୍ୟାଳୟର ମାନ୍ୟତା । ଏହି ଘୋଷଣାର ଠିକ୍ କିଛି ଦିନପୂର୍ବରୁ ଜୟପୁରର ବିକ୍ରମଦେବ କଲେଜକୁ ମିଳିଥିଲା ବିଶ୍ୱବିଦ୍ୟାଳୟ ମାନ୍ୟତା । କ୍ରମାଗତ ଭାବରେ ଦୁଇଟି ପ୍ରତିଷ୍ଠିତ କଲେଜ୍, ୟୁନିଭର୍ସିଟି ହେବା ପରେ ଏବେ ରାଜ୍ୟର ଚାରିଆଡୁ ଉଠୁଛି ୟୁନିଭର୍ସିଟି ମାନ୍ୟତା ଦାବି । ତାଲିକା ଖୁବ୍ ଲମ୍ବା ।

ରାଉରକେଲା, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, ନୟାଗଡ଼, ଢ଼େଙ୍କାନାଳ ଏବଂ ଅନୁଗୁଳ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଦାବି ଉଠିବା ଆରମ୍ଭ ହୋଇଛି । ସେହିପରି ଭୁବନେଶ୍ୱର ବିଜେବି କଲେଜ୍, କଟକର ଶୈଳବାଳା କଲେଜ୍ ଏବଂ ପୁରୀ ଏସସିଏସ୍ କଲେଜ୍୍କୁ ବି ୟୁର୍ନିଭର୍ସିଟି କରିବା ନେଇ ସ୍ଥାନୀୟ ଅଞ୍ଚଳରେ ଜନତା ଓ ପୂର୍ବତନ ଛାତ୍ରଛାତ୍ରୀ ଦାବି କରୁଛନ୍ତି । ପ୍ରଶ୍ନ ଉଠୁଛି, ୟୁନିଭର୍ସିଟି ପରେ ୟୁନିଭର୍ସିଟି ହେଉଛି ହେଲେ ଓଡ଼ିଶାରେ ଗୁଣାତତ୍ମ ଶିକ୍ଷାର ମାନ କ’ଣ? କାହିଁକି ଏବେ ବି ଖାଲି ପଡ଼ିଛି ଅଧ୍ୟାପକ ପଦ? ବିଶ୍ୱବିଦ୍ୟାଳୟ ଗଢ଼ିଦେଲେ ବଦଳିଯାଏ କି ଉଚ୍ଚଶିକ୍ଷାର ସ୍ଥିତି?

ରାଜ୍ୟରେ ଏବେ ବି ଏମିତି ଅନେକ ବିଶ୍ୱବିଦ୍ୟାଳୟ ରହିଛି ଯେଉଁଠି ଆବଶ୍ୟକ ତୁଳନାରେ ଶିକ୍ଷକ ନାହାଁନ୍ତି । ୩ ବର୍ଷ ତଳେ ନୂଆ କରି ନିର୍ମାଣ ହୋଇଥିବା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ହିଁ ଏହାର ଦୁଇଟି ତାଜା ଉଦାହରଣ । ଏସବୁ ଭିତରେ ଶିକ୍ଷାବିତଙ୍କ କହିବାର କଥା ହେଲା, କେବଳ ଶିକ୍ଷାର ବିକାଶ ପାଇଁ ୟୁନିଭର୍ସିଟି ନିର୍ମାଣ ଯେତିକି ଗୁରୁତ୍ୱପୂର୍ଣ୍ଣ, ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ଶିକ୍ଷକ ତାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ବିଗତ ୫ ବର୍ଷ ଭିତରେ ଓଡ଼ିଶାରେ ୧୨ଟି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । କିନ୍ତୁ ବିଡ଼ମ୍ବନାର କଥା ହେଉଛି, ଯେତେବେଳେ ବି ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଏ, ସେତେବେଳେ ଟପ୍୍ ଶହେ ବିଶ୍ୱବିଦ୍ୟାଳୟ ଭିତରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ନାଁ ଖୋଜିବାକୁ ପଡ଼େ ।