ମଦ ପିଉଥିଲେ ସାବଧାନ ! ବଦ ଅଭ୍ୟାସ ପାଇଁ ହୋଇପାରେ ବ୍ରେନ ହାମରେଜ ।

776

କନକ ବ୍ୟୁରୋ: ଚାଲିଥିଲା ରାତିସାରା ପାର୍ଟି । ସାଙ୍ଗସାଥୀଙ୍କ ସହ ପ୍ରବଳ ମଦ ପିଇଲେ ହାଇଦ୍ରାବାଦର ୩୩ ବର୍ଷର ଜଣେ ଯୁବକ । କିନ୍ତୁ ହଠାତ ହୋଇପଡିଲେ ଅସୁସ୍ଥ । ଡାହାଣ ହାତ ଓ ଡାହାଣ ଗୋଡ ପାରାଲେସିସ ହୋଇଗଲା । କଥା କହିବାବି ମୁସ୍କିଲ ହୋଇପଡିଲା । ଭାରତର ପ୍ରତିଷ୍ଠିତ ନ୍ୟୁରୋଲୋଜିଷ୍ଟ ଡାକ୍ତର ସୁଧୀର କୁମାରଙ୍କ ପାଖକୁ ଆସିଥିଲେ ଏହି ଯୁବକ । ତେବେ ବ୍ରେନ ସ୍କାନ କରିବା ପରେ ଜଣାପଡିଲା ଯେ ଯୁବକ ଜଣଙ୍କର ବ୍ରେନ ହାମରେଜ ହୋଇଛି । ଆଉ ଆପଣ ଏହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଡକ୍ଟର ସୁଧୀର କୁମାରଙ୍କ କହିବା ଅନୁସାରେ, ମଦ୍ୟପାନର ମାତ୍ରା ବଢୁଥିବାରୁ ଦିନକୁ ଦିନ ଏଭଳି ଅନେକ ମାମଲା ଆସୁଛି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମଦ୍ୟପାନ ଯୋଗୁଁ ରକ୍ତଚାପ ବଢିଥାଏ । ଏହାଦ୍ୱାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ତେବେ ବ୍ରେନ ହାମରେଜ ବା ମସ୍ତିଷ୍କ ରକ୍ତସ୍ରାବ ପାଇଁ ୧୦ ଟି କାରଣ ମଧ୍ୟରୁ ମଦ୍ୟପାନ ବି ଗୋଟିଏ ପ୍ରମୁଖ କାରଣ ବୋଲି ବିଶେଷଜ୍ଞ କହିଛନ୍ତି । ସେଥିପାଇଁ ମଦ ଠାରୁ ଦୂରେଉ ରହିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ଚିକିତ୍ସକ ।

ମଦ୍ୟପାନ କରି କିଡନୀ ଓ ଲିଭର ନଷ୍ଟ ହେଉଥିବା ଘଟଣା ଅନେକ ଜାଣିଥିବାବେଳେ ହଠାତ ବ୍ରେନ ହାମରେଜ ହେବା କଥା ଅନେକ ଜାଣିନାହାନ୍ତି । ତେବେ ଅନେକ ବ୍ୟକ୍ତି ସୌକ ପାଇଁ ମଦ୍ୟପାନ କରୁଥିବାବେଳେ ଏହି ସୌକ କେତେବେଳେ ଜୀବନ ନେଇଯିବ ତାହାର ଖବର କାହାରି ପାଖରେ ନାହିଁ ।