ପେନସିଲ୍ ମୁନରେ ଜୀବନ୍ତ କଳାକୃତି । ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲାର ଚିତ୍ରଶିଳ୍ପୀ ନିବାସ ।

47

କନକ ବ୍ୟୁରୋ: ପେନସିଲ ମୁନରେ ଜୀବନ୍ତ ହେଉଛି କଳାକୃତି । ତାଙ୍କର ହାତର ଯାଦୁଗରୀ ସ୍ପର୍ଶରେ ନିର୍ଜୀବ ଛବି ଗୁଡ଼ିକ ଜୀବନ୍ତ ହୋଇଉଠୁଛନ୍ତି । ଦେବାଦେବୀଙ୍କ ଫଟୋଚିତ୍ର ହେଉ କିମ୍ବା ମହାପୁରୁଷଙ୍କ ଅବିକଳ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି ବୌଦ୍ଧର ଚିତ୍ରଶିଳ୍ପୀ ନିବାସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବିକଳ ଚିତ୍ର ଆଙ୍କିଛନ୍ତି ନିବାସ । ଏହାସହ ମହାତ୍ମାଗାନ୍ଧୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଭିନେତା ସୁଶାନ୍ତ ସିଂ ରାଜପୁତ, ବିରାଟ କୋହଲିଙ୍କ ଫଟୋଚିତ୍ର ଆଙ୍କିଛନ୍ତି ନିବାସ । ପେନସିଲ ଧରିବା ମାନେ ଆପେ ଆପେ ଆଙ୍କିଦଉଛନ୍ତି ଚିତ୍ର । ଏଥିପାଇଁ ସେ କୌଣସି ପ୍ରଶିକ୍ଷଣ ନେଇନାହାନ୍ତି । କୁହାଯାଏ ବିନା ଗୁରୁରେ କୌଣସି କାମ ଅସମ୍ଭବ ହୋଇଥାଏ । କିନ୍ତୁ ବିନା କିଛି ତାଲିମ ଓ ଗୁରୁରେ ସେ ଭଳିକି ଭଳି ଚିତ୍ର ଆଙ୍କି ଚାଲିଛନ୍ତି । ପିଲାଟି ଦିନରୁ ପାଠପଢ଼ା ସହ ଟିକିଏ ସମୟ ପାଇଲେ ସେ ଚିତ୍ର ଆଙ୍କିବାରେ ଲାଗିପଡ଼ନ୍ତି । କଳାକୁ କ୍ୟାରିଅର କରିବାର ଇଛା ରଖିଥିବା ନିବାସଙ୍କୁ କିଛି ପ୍ରୋତ୍ସାହନ ମିଳିଲେ ସେ ଆଗକୁ ଜଣେ ଭଲ ଚିତ୍ର ଶିଳ୍ପୀ ହେବାର ଆଶା ରଖିଛନ୍ତି । ପିଲାଦିନୁ ମା’ଙ୍କର ଦେହାନ୍ତ ହୋଇସାରିଥିବା ବେଳେ ଏବେ ବାପା ଓ ଭଉଣୀଙ୍କ ସହ ରୁହନ୍ତି ନିବାସ । କଳା ଶିଖିବା ପାଇଁ ଭଲ ଆର୍ଟ କଲେଜରେ ପାଠପଢ଼ିବାକୁ ଇଛା ଥିଲେ ବି ଅର୍ଥ ଅଭାବରୁ ସେ ଏଥିରୁ ବଂଚିତ ହୋଇଛନ୍ତି । କାରଣ ତାଙ୍କ ବାପା ଜଣେ ଦିନ ମଜୁରିଆ । ପରଘରେ ମୂଲ ଲାଗିଲେ ତାଙ୍କର ପରିବାର ଚଳିଥାଏ । ତେଣୁ ନିବାସଙ୍କୁ ସରକାରଙ୍କ ପକ୍ଷରୁ କିଛି ସହଯୋଗ ମିଳିଲେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ।