ଏମିତି ଝିଅ ସମସ୍ତଙ୍କୁ ମିଳୁ… କୁନି ଝିଅର ବ୍ୟବହାରରେ ଭାବବିହ୍ୱଳ ହେଲେ ଯବାନ୍ । କେନ୍ଦ୍ରମନ୍ତ୍ରୀ ସେୟାର କଲେ ମନଛୁଆଁ ଭିଡିଓ

613

କନକ ବ୍ୟୁରୋ: ଦୁନିଆଁର ଭଲ ମନ୍ଦ କ’ଣ ଜାଣିନି । ଭଲ ଭାବରେ ପାଟି ଫିଟିନି । ଠୁକୁ ଠୁକୁ ହୋଇ ପାଦ ପଡୁଛି । ହେଲେ ତା’ ଆଗରେ ଛିଡା ହୋଇଥିବା କେତେ ଜଣ ଯବାନଙ୍କୁ ଖାକି ପୋଷାକରେ ଦେଖି ତା’ ମନରେ କ’ଣ ଭାବିଲା କେଜାଣି ନିଜ ଲୋକଙ୍କ ହାତ ଛାଡି ଥିରି ଥିରି ପାଦରେ ସେମାନଙ୍କ ଆଡକୁ ଦୌଡି ପଳାଇଲା । କିଛି ସମୟ ସେମାନଙ୍କୁ ଚାହିଁଲା । ଆଉ ଯବାନ କିଛି ବୁଝିବା ଆଗରୁ ଯବାନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲା । ବୋଧହୁଏ ତା’ ମନରେ ତା ଅବୁଝା ମନରେ ବି ସେ ବୁଝିପାରିଲା । ଏଇମାନେ ହିଁ ମୋର , ମୋ ବାପା, ମା’ଙ୍କର ଆଉ ମୋ ଦେଶର ରକ୍ଷା କରୁଛନ୍ତି । ଏଇମାନଙ୍କ ପାଇଁ ତ ମୁଁ ଖୁସିରେ ଖେଳିପାରୁଛି, ବୁଲିପାରୁଛି ।

ସୋସିଆଲ ମିଡିଆରେ କୁନି ଝିଅର ଭିଡିଓ ସମସ୍ତଙ୍କ ମନ ଛୁଇଁଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଦିଲ୍ଲୀ ମେଟ୍ରୋ ଷ୍ଟେସନରେ କିଛି ଯବାନ୍ ଛିଡା ହୋଇଥିବାବେଳେ କୁନି ଝିଅଟିଏ ଥିରି ଥିରି ଚାଲିରେ ତାଙ୍କ ପାଖକୁ ଆସିଥିଲା । ଯବାନଙ୍କୁ କ୍ଷଣେ ଚାହିଁବା ପରେ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲା । କୁନି ଝିଅର ଏପରି ବ୍ୟବହାର ଯବାନଙ୍କୁ ଭାବବିହ୍ୱଳ କରିଦେଇଥିଲା । ଖୁସିରେ କୁନି ଝିଅର ମୁଣ୍ଡକୁ ଆଉଁସି ଦେବା ସହ ସ୍ନେହରେ ଝିଅଟିର ମଥାକୁ ଚୁମି ଦେଇଥିଲେ । ଏହି ଦୃଶ୍ୟକୁ ଦେଖି ପାଖରେ ଛିଡା ହୋଇଥିବା ଯବାନମାନେ ମଧ୍ୟ ସ୍ମିତହାସ୍ୟ ଦେଇଥିଲେ । ଆଉ ଖେଳକୁଦ ଛଡା କିଛି ଜାଣୁନଥିବା କୁନି ଝିଅଟିର ଏପରି ସଂସ୍କାର ଦେଖି ଚକିତ ହୋଇଥିଲେ ।

ଯବାନଙ୍କ ପ୍ରତି କୁନି ଝିଅର ଏପରି ବ୍ୟବହାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହି ଭିଡିଓଟିକୁ ଟ୍ୱିଟ୍ କରି ନିଜେ ମଧ୍ୟ ଭାବୁକ ହୋଇପଡିଛନ୍ତି । ଝିଅଟିକୁ ଏପରି ସଂସ୍କାର ଦେଇଥିବାରୁ ତା’ର ପରିବାର ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଏହି ଭିଡିଓକୁ ଏଯାଏଁ ୨ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି । ହଜାର ହାଜର ଲୋକ ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିସାରିଲେଣି । ୨୦ ହଜାରରୁ ଲାଇକ୍ ବି ମିଳିସାରିଲାଣି । ପିଲାମାନଙ୍କୁ ଛୁଆବେଳୁ ହିଁ ଏପରି ସଂସ୍କାର ଦିଆଯିବା ଉଚିତ ବୋଲି ଜଣେ ୟୁଜର୍ସ ଲେଖିଥିବାବେଳେ ଅନ୍ୟଜଣେ ୟୁଜର କହିଛନ୍ତି : ଏହା ହିଁ ଭାରତୀୟତା,ଏହା ହିଁ ଆମ ସଂସ୍କୃତି ।

ଆଜିକାଲି ଅଭିଭାବକମାନେ ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେବାରେ ଯେତିକି ତତ୍ପରତା ଦେଉଛନ୍ତି, ସେମାନଙ୍କ ଉପରେ ଯେତିକି ଆଧୁନିକତାର ଛାଞ୍ଚ ଢାଙ୍ଗୁଛନ୍ତି ସେମାନଙ୍କୁ ବୌଦ୍ଧିକ ଶିକ୍ଷା ଦେବାରେ ଯତି ସେତିକି ତତ୍ପରତା ଦେଖାନ୍ତେ ତେବେ ଆମ ସେହି ପୂର୍ବ ଗୌରବ ପୁଣି ଫେରିଆସନ୍ତା ନିଶ୍ଚୟ । ପିଲାଟିକୁ ବଡ ମଣିଷ କରିବା ଅପେକ୍ଷା ଭଲ ମଣିଷ କରିବା ସମସ୍ତଙ୍କର ଏ ସାମୁହିକ ଦାୟିତ୍ୱ ନିଶ୍ଚୟ ।