ଧନ୍ୟବାଦ ରାଲିରେ ପାକିସ୍ତାନ ଉପରେ ପ୍ରବଳ ବର୍ଷିଲେ ମୋଦି । କହିଲେ, ବନ୍ଧୁତା ପାଇଁ ହାତ ବଢାଇଥିଲି କିନ୍ତୁ ପଛରୁ ଛୁରୀ ମାରିଲା ପାକିସ୍ତାନ ।

274

ନାଗରିକତା ଆଇନକୁ ନେଇ ସାରା ଦେଶରେ ନିଆଁ ଜଳୁଥିବା ବେଳେ ଦିଲ୍ଲୀର ରାମଲୀଳା ମୈଦାନରେ ଏହାକୁ ନେଇ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଆଇନ କାହାକୁ ପ୍ରଭାବିତ କରିବ ନାହିଁ ମୋଦି ସ୍ପଷ୍ଟ କରିଛନ୍ତି । ମୁସଲିମ୍ ସମ୍ପ୍ରଦାୟର ଗୋଷ୍ଠୀକୁ ଲକ୍ଷ୍ୟ କରି ଏହି ଆଇନ ପାରିତ କରାଯାଇନାହିଁ । ତେଣୁ ବିରୋଧୀ ଦଳ ଏହାକୁ ନେଇ ଲୋକଙ୍କୁ ଭମ୍ରିତ ନ କରିବାକୁ କହିଛନ୍ତି ମୋଦି । ଏହାଛଡା ମମତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଏସବୁ ଭିତରେ ଧନ୍ୟବାଦ ରାଲିରେ ପାକିସ୍ତାନକୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ମୋଦି ।

ନିଜ ଅଭିଭାଷଣରେ ମୋଦି କହିଛନ୍ତି, ୨୦୧୪ରେ ବିଜେପି ସରକାର ଗଢିବା ପାଇଁ ବହୁମତ ହାସଲ କରିବା ପରେ ଶପଥ ଗ୍ରହଣ ସମାରୋହରେ ପାକିସ୍ତାନକୁ ଆମନ୍ତ୍ରିତ କରାଯାଇଥିଲା । ଏପରିକି ମୁଁ ନିଜେ ଲାହୋର ଯାଇଥିଲି, ବନ୍ଧୁତାର ହାତ ବଢାଇଥିଲି କିନ୍ତୁ ପ୍ରତିବଦଳରେ ପଛରୁ ଛୁରି ମାରିଥିଲା ପାକିସ୍ତାନ । ଭାରତ ବିରୋଧରେ ଆତଙ୍କବାଦ କାର୍ଯ୍ୟକଳାପକୁ ପୋତ୍ସାହନ ଦେବା ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧରେ ବିଷ ଓଗାଳିଥିଲା ପାକିସ୍ତାନ । ଏପରିକି ପାକିସ୍ତାନ ସେନା ମଧ୍ୟ ବାରମ୍ବାର ସୀମାରେ ଉତ୍ତେଜନା ସୃଷ୍ଟି କରିବା ଭଳି ପରିସ୍ଥିତି କରିବାକୁ ପଛାଇନଥିଲେ ।

ଏହାଛଡା ମୋଦି କହିଛନ୍ତି, କଂଗ୍ରେସ ଓ ସେମାନଙ୍କର ସହଯୋଗୀ ଦଳ ଏଥିପାଇଁ ଚିନ୍ତିତ ଯେ, କାହିଁକି ମୋଦିଙ୍କୁ ମୁସଲିମ୍ ବହୁଳ ଦେଶର ସମର୍ଥନ ମିଳୁଛି । କାହିଁକି ମୁସଲିମ୍ ବହୁଳ ଦେଶଗୁଡିକ ମୋଦିଙ୍କୁ ଏତେ ପସନ୍ଦ କରୁଛନ୍ତି । ଏବେ ସାଉଦି ଆରବ, ବାହାରିନ୍, ୟୁଏଇ ସହ ଭାରତର ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ମଜବୁତ୍ ହୋଇଛି । ଏହାବାଦ୍ ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କ ମଧ୍ୟରେ କଣ ପାର୍ଥକ୍ୟ ରହିଛି ତାହାକୁ ନେଇ ବଡ ବୟାନ ଦେଇଛନ୍ତି ମୋଦି । ଗୋଟିଏ ପଟେ ଅନୁପ୍ରବେଶକାରୀ କେବେ ନିଜର ପରିଚୟ ଦେଖାଇବାକୁ ଚାହୁଁନଥିବା ବେଳେ ଅନ୍ୟପଟେ ଶରଣାର୍ଥୀ ମାନେ କେବେ ନିଜର ପରିଚୟ ଲୁଚାନ୍ତି ନାହିଁ । ତେଣୁ କିଛି ଅନୁପ୍ରବେଶକାରୀ ଯେଉଁମାନେ ଦେଶରେ ଅଶାନ୍ତି ସୃଷ୍ଟି କରୁଛନ୍ତି ସେମାନଙ୍କ ସତ କାଳେ ସାମ୍ନାକୁ ଆସିଯିବ ସେଥିପାଇଁ ଏହି ବିଲକୁ ବିରୋଧ କରାଯାଉଛି । ତେବେ ବିଲକୁ ବିରୋଧ କଲାବେଳେ ହିଂସା ସୃଷ୍ଟି ନ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।