ଚର୍ଚ୍ଚାରେ ନେତାଙ୍କ ନିଆରା ହୋଲି। ଅତିଥିଙ୍କ ସହ ନାଚିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।

100

କନକ ବ୍ୟୁରୋ: ହୋଲିର ରଙ୍ଗରେ ରଙ୍ଗୀନ ହୋଇଛନ୍ତି ରାଜନେତା । ସକାଳୁ ସକାଳୁ ହୋଲି ପାଳନ କରିବାକୁ ରାଜ୍ୟର ସମସ୍ତ ରାଜନୈତିକ ଦଳର ନେତା ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ହୋଲି ପାଳନ କରିଛନ୍ତି । ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନକୁ ଯାଇ ଦଳୀୟ କର୍ମୀ ଓ ନେତା ହୋଲି ଶୁଭେଚ୍ଛା ଜଣାଇଛନ୍ତି । ସେହିପରି କଂଗ୍ରେସ ଭବନରେ ବିଧାୟକ ସୁର ରାଉତରାୟ, ଜୟପୁରରେ ବିଧାୟକ ତାରା ବାହାନୀପତି ସମେତ ଦଳର ଅନ୍ୟାନ୍ୟ କର୍ମୀ ହୋଲି ପାଳନ କରିଛନ୍ତି । ସେହିପରି ରାଜଧାନୀରେ ବିଜେଡି ବିଧାୟକ ଅମର ଶତପଥୀ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଜୟପୁରରେ ରବି ନନ୍ଦ, ଦଳୀୟ କର୍ମୀ ଏବଂ ସମର୍ଥକଙ୍କ ସହ ଏହି ଖୁସିର ପର୍ବରେ ସମସ୍ତେ ସାମିଲ ହୋଇଥିଲେ । ରାଜଧାନୀରେ ମେୟର ସୁଲୋଚନା ଦାସ ସଫେଇ କର୍ମଚାରୀଙ୍କ ସହ ନାଚ ଓ ଗୀତରେ ଝୁମିଛନ୍ତି ।

ସେହିପରି କୋଭିଡ ପରେ କୌଣସି କଟକଣା ନଥିବାରୁ ସାରା ଦେଶରେ ହୋଲିର ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବାସଭବନରେ ଆମେରିକା ବାଣିଜ୍ୟିକ ସଚିବ ଜିନା ରାୟମୋଣ୍ଡୋ, ବୈିଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ଏକାଠି ହୋଲି ପାଳନ କରିଥିଲେ । ସେହିପରି ଉତ୍ତରପ୍ରଦେଶ ଗୋରଖପୁରରେ ଧୁମଧାମରେ ହୋଲି ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଣ୍ଡରେ ପଗଡି, ମୁହଁରେ କଳା ଚଷମା ପିନ୍ଧି ହୋଲି ଖେଳିଛନ୍ତି ଯୋଗୀ । ଚଳିତ ବର୍ଷ ବିଧାନସଭା ନିର୍ବାଚନ ଥିବାରୁ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ହୋଲି ପାଳନ ମଧ୍ୟ ବେଶ ଗୁରୁତ୍ୱ ବହନ କରିଛି । ଛତିଶଗଡରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବି ରଙ୍ଗ ଉତ୍ସବ ପାଳନ କରିଛନ୍ତି । ବିହାର ପାଟନାରେ ହୋଲି ଅବସରରେ ତେଜ ପ୍ରତାପ ଯାଦବ ବଇଁଶି ବଜାଉଥିବା ଦେଖିବାକୁ ମିଳିଛି ।

ପଠାନକୋଟରେ ମଧ୍ୟ ରଙ୍ଗର ପର୍ବ ହୋଲି ପାଳନ କରିଛନ୍ତି ବିଏସଏଫ ଯବାନ । ବଡ଼ କଥା ହେଉଛି ସହିଦ ଯବାନଙ୍କ ପରିବାର ସହିତ ହୋଲି ପାଳନ କରିଛନ୍ତି । ସହିଦ ଯବାନଙ୍କ ପରିବାର ପାଖରେ ପହଞ୍ଚି ତାଙ୍କୁ ରଙ୍ଗ ଲଗାଇବା ସହ ଖୁସି ବାଣ୍ଟିଛନ୍ତି ।