ବୁକୁଫଟା କାନ୍ଦରେ ଥରିଲା ମଶାଣି : ଗୋଟିଏ ଦିନରେ ଜଳିଲା ପରିବାରର ଦୁଇ ଜଣଙ୍କ ଜୁଇ, ବିଦ୍ୟୁତ ଆଘାତରେ ନାତିର ମୃତ୍ୟୁ ଖବର ଶୁଣି ଟଳି ପଡିଲେ ଜେଜେମା’

1,388

କନକ ବ୍ୟୁରୋ : ବୁକୁଫଟା କାନ୍ଦରେ ଥରିୁଠିଛି ମଶାଣି ଭୂଇଁ । ଗୋଟିଏ ଦିନରେ ଜଳିଲା ପରିବାରର ଦୁଇ ଜଣଙ୍କ ଜୁଇ । ନାତିର ମୃତ୍ୟୁ ଖବର ଶୁଣି ଟଳିପଡ଼ିଲେ ଜେଜେମା’ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଡଙ୍ଗରପଡା ଗ୍ରାମର ଚନ୍ଦ୍ରମଣି ନାଏକ ବିଦ୍ୟୁତ୍ ଆଘାତ ପାଇଁ ପ୍ରାଣ ହରାଇଥିଲେ । ଏହି ଖବର ଶୁଣି ତାଙ୍କ ଜେଜେମା ଯଶୋଦା ନାଏକ ହୃଦଘାତରେ ପ୍ରାଣ ହରାଇଛନ୍ତି । ଗତଗୁରୁବାର ଉଭୟଙ୍କ ଶବ ଏକ ସାଙ୍ଗରେ ସତ୍କାର କରାଯାଇଛି । ଉଭୟଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗିପଡିଛନ୍ତି । ଅନ୍ୟପଟେ ମୃତକଙ୍କ ବାପା ଓ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡିଛି ।

ହାତ ଧରାଧରି ହୋଇ ଏକସଙ୍ଗେ ଚାଲିଗଲେ ଆଇନାତି । ମୁହଁରେ ମୁଖାଗ୍ନି ଦେବା ଆଗରୁ ବିଦ୍ୟୁତ ଆଘାତ ପାଇଁ ଟଳିପଡ଼ିଥିଲା ନାତି । ଏପରି ହୃଦୟବିଦାରକ ଘଟଣା ଶୁଣି ଜେଜେମା’ ବି ଜୀବନ ହାରିଛି । ଜେଜେମା ଓ ନାତିର ଆକସ୍ମିକ ମୃତ୍ୟୁରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଚନ୍ଦ୍ରମଣିଙ୍କ ମରଶରୀରକୁ ବ୍ୟବଚ୍ଛେଦ ପରେ କଣ୍ଟାବାଞ୍ଜିରୁ ଗୁରୁବାର ନିଜ ଗାଁ ଡଙ୍ଗରପଡାକୁ ଅଣାଯିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ପରିବାର, ଜ୍ଞାତି କୁଟୁମ୍ବ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଯଶୋଦା ଓ ଚନ୍ଦ୍ରମଣିଙ୍କ ଶବକୁ ଗାଁ ଶ୍ମଶାନକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

ମୃତ ଚନ୍ଦ୍ରମଣି ୪ବର୍ଷ ତଳେ ବିବାହ କରିଥିଲେ । ଘରେ ସ୍ତ୍ରୀ ଓ ଏକ ତିନି ବର୍ଷର ପୁଅ ଅଛନ୍ତି । ମୃତ୍ୟୁ କଥା ଶୁଣି ଚନ୍ଦ୍ରମଣିଙ୍କ ପତ୍ନୀ ଓ ବାପାଙ୍କ ଅବସ୍ଥା ଶୋଚନୀୟ ହେବାରୁ ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । ମୃତ ଚନ୍ଦ୍ରମଣି ଜଣେ ନିର୍ମାଣ ଶ୍ରମିକ ଥିବା ସହ ତାଙ୍କ ରୋଜଗାର ଉପରେ ସମ୍ପୂର୍ଣ୍ଣ ପରିବାର ନିର୍ଭରଶୀଳ ଥିଲା । ଏବେ ଘରେ ବିଧବା ପତ୍ନୀ ଓ ତିନି ବର୍ଷର ବାପ ଛେଉଣ୍ଡ ପୁଅ , ବାପା, ମା ଓ ଭାଇ ଅସହାୟ ହୋଇପଡିଛନ୍ତି । ଦୁଇ ଦୁଇ ଜଣଙ୍କ ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ପାଇଁ ଅର୍ଥାଭାବ ସେମାନଙ୍କ ପାଇଁ ବଡ ସମସ୍ୟା ହୋଇଛି । ତୁରନ୍ତ ଏହି ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସୂଚନାନୁସାରେ, ଚନ୍ଦ୍ରମଣି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ଗତ ବୁଧବାର ଦିନ ଛାତରେ ଛଡ ବନେ୍ଧଇ କାମ କରୁଥିବା ବେଳେ ଘର ଉପରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ । ପୂର୍ବରୁ ମଧ୍ୟ ସେହି ଘର ତିଆରି ବେଳେ ମାତ୍ର ୩ଫୁଟ ଉପରେ ଯାଇଥିବା ୧୧କେଭି ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛୋଟ ଛୋଟ ଦୁର୍ଘଟଣା ଘଟିଥିଲା । ତଥାପି ଘର ମାଲିକ କୌଣସି ବିଭାଗୀୟ ଅନୁମତି କିମ୍ବା ସୁରକ୍ଷା ପାଇଁ ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି ।