ବିଧାନସଭାରେ ବି ଉଠିଲା କୋଟିଆ ପ୍ରସଙ୍ଗ : ସୀମା ବିବାଦକୁ ନେଇ ବିରୋଧୀଙ୍କ ହୋହାଲ୍ଲା

ସର୍ବଦଳୀୟ ବୈଠକ ଡାକି, ସବୁ ଦଳର ନେତା କୋଟିଆ ଯିବାକୁ ପ୍ରସ୍ତାବ ଦେଲା କଂଗ୍ରେସ, ସେପଟେ ଆନ୍ଧ୍ରକୁ ଚେକଦେବାକୁ ଅଂଟାଭିଡିଲା କୋରାପୁଟ ପ୍ରଶାସନ; କୋଟିଆରେ ଆରମ୍ଭ ହେଲା କୋଭିଡ ଟେଷ୍ଟ

74

କନକ ବ୍ୟୁରୋ : ବିଧାନସଭାରେ ଉଠିଲା କୋଟିଆ ବିବାଦ ପ୍ରସଙ୍ଗ । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ, ଏ ନେଇ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଯଥେଷ୍ଟ ନୁହେଁ । ଏ ନେଇ ସର୍ବଦଳୀୟ ବୈଠକ ଡାକିବାକୁ ସେ ଦାବି କରିଛନ୍ତି । ସବୁଦଳର ନେତା କୋଟିଆ ଯାଇ ସେଠାକାର ଲୋକଙ୍କ ସହ ଆଲୋଚନା କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।

ଧାନ ମଣ୍ଡି ଓ ଚାଷୀ ସମସ୍ୟା ନେଇ ଅନେକ ଆଲୋଚନା ହେଉଛି କିନ୍ତୁ କିଛି ଫଳ ମିଳିନି ବୋଲି କହିଥିଲେ ନରସିଂହ । ଏହା ପରେ କଂଗ୍ରେସ ସଦସ୍ୟ ହେହଲ୍ଲା ଓ ନାରାବାଜି କରିଥିଲେ । ଫଳରେ ଗୃହକୁ ୧୦ ମିନିଟ ଯାଏଁ ମୁଲତବୀ କରାଯାଇଥିଲା । ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନୁରୋଧ କରିଥିଲେ, ଆଜି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ମୁଲତବୀ ରଖାଯାଇଛି । ଆଲୋଚନାରେ ସହଯୋଗ କରନ୍ତୁ ।

ସେପଟେ ଆନ୍ଧ୍ରର ସ୍ୱାସ୍ଥ୍ୟ କର୍ମଚାରୀମାନେ କୋଟିଆ ପଂଚାୟତର ୨୧ଟି ଗାଁରେ ଘରକୁ ଘର ବୁଲି ଲୋକଙ୍କ କରୋନା ପରୀକ୍ଷା କରିବା ପରେ ଏବେ କୋରାପୁଟ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୋଟିଆରେ ଆରମ୍ଭ ହୋଇଛି କୋଭିଡ ପରୀକ୍ଷା । କୋଟିଆ ସ୍ଥିତ ଡାକ୍ତରଖାନାରେ ଏଣିକି ପ୍ରତି ବୁଧବାର ଦିନ କରୋନା ପରୀକ୍ଷା କରାଯିବ ।

ସେହିପରି ପଂଚାୟତବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲିବା ଆରମ୍ଭ କରିଛନ୍ତି । ଏହି ମାସ ୧୩ ତାରିଖ ଦିନ ଫାଟୁସେନେରୀରେ ପଂଚାୟତ ନିର୍ବାଚନ କରି ଆନ୍ଧ୍ର ବିବାଦରେ ଥିବା ବେଳେ ଏବେ କୋଟିଆ ଆରମ୍ଭ କରିଛି ସ୍ୱାସ୍ଥ୍ୟ ଶିବିର । ଯାହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନକୁ ସମାଲୋଚନାର ଶୀକାର ହେବାକୁ ପଡ଼ିଥିଲା । ଏବେ ଆନ୍ଧ୍ରକୁ ଚେକ ଦେବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଅଂଟା ଭିଡ଼ିଛି ।