ପୋଲିସ ଗାଡ଼ିକୁ ଅଟକାଇଲେ ମହିଳା : ୨ଟି ବୋଲେରୋ, ବସ୍ ଓ ଟ୍ରକ ଅଟକ; କହିଲେ, ଗିରଫ ଗ୍ରାମବାସୀଙ୍କୁ ନଛାଡ଼ିବା ଯାଏଁ ଛାଡ଼ିବୁନି ଗାଡ଼ି

183

କନକ ବ୍ୟୁରୋ : ଚୂନ ମାଟି ଖନନକୁ ନେଇ ପୁଣି ଉତ୍ତେଜନା । ପୋଲିସ ଗାଡିକୁ ଅଟକ ରଖିଲେ କୋରାପୁଟ ହାଟସୁକୁ ଗାଁର ମହିଳା । ପୋଲିସ ସୁରକ୍ଷାରେ ଚୂନ ମାଟି ଖୋଳିବା ପାଇଁ ଖଣି କମ୍ପାନୀ ଠିକାଦାର ନିଜର ସରଞ୍ଜାମ ଓ ଗାଡି ନେଇ ପାହାଡକୁ ଯାଉଥିଲେ । ଏହି ସମୟରେ ଗ୍ରାମବାସୀ ହାତରେ ଠେଙ୍ଗାବାଡ଼ି ଧରି ଏକାଠି ହୋଇ ପୋଲିସ ଗାଡି ଓ ଠିକା କମ୍ପାନୀର ଗାଡିକୁ ଅଟକାଇଥିଲେ । ୨ଟି ବୋଲେରୋ ସହ ଗୋଟିଏ ବସ୍ ଓ ଗୋଟିଏ ଟ୍ରକକୁ ଗ୍ରାମବାସୀ ଅଟକ ରଖିଛନ୍ତି ।

ବିନା ଆଲୋଚନା ଓ ସମାଧାନ ନକରି ଚୂନ ମାଟି ଖୋଳିବା ପାଇଁ ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସମାଧାନର ବାଟ ନବାହାରିଲେ ଜୀବନ ଦେବୁ ପଛେ ମାଟି ଦେବୁ ନାହିଁ ବୋଲି ଗାଁଲୋକେ ଚେତାବନୀ ଦେଇଛନ୍ତି । ହାଟସୁକୁ ଗାଁ ନିକଟରେ ଏକ ଚୂନପଥର ଖଣି ରହିଛି । ଏହି ଖଣି ଖନନ ପାଇଁ ସରକାରୀ ଭାବେ ଲିଜ୍ ଦିଆଯାଇଛି । ହେଲେ ଗ୍ରାମବାସୀ ଏହାକୁ ଆରମ୍ଭରୁ ବିରୋଧ କରି ଆସୁଛନ୍ତି ।

ପ୍ରତି ମାସରେ ଲିଜ୍ ନେଇଥିବା କମ୍ପାନୀ, ପ୍ରଶାସନ ଓ ଗାଁଲୋକଙ୍କୁ ନେଇ ସାମାଧାନ ପାଇଁ ବୈଠକ ହୋଇ ଆସୁଛି ହେଲେ ସମାଧାନ ବାହାରି ପାରୁନାହିଁ । ବିରୋଧ କରୁଥିବା କିଛି ଗ୍ରାମବାସୀଙ୍କୁ ପୋଲିସ ଗିରଫ ମଧ୍ୟ କରିଛି । ଗିରଫ ଗ୍ରାମବାସୀଙ୍କୁ ଯେପର୍ଯ୍ୟନ୍ତ ଛଡାଯାଇନାହିଁ, ସେପର୍ଯ୍ୟନ୍ତ ଅଟକ ରଖିଥିବା ଗାଡିକୁ ଛାଡିବେ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।