୪୨୯ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଠକେଇ ମାମଲାରେ ଫସିଲେ ଟିଏମସି ସାଂସଦ । ଜାଣନ୍ତୁ ପୂରା ମାମଲା

5,135

କନକ ବ୍ୟୁରୋ : ଦେଶରେ ରିଏଲ ଷ୍ଟେଟ ବ୍ୟବସାୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଜୀବନଯାକର ସଂଚୟ ଠୁଳ କରି ନିଜ ସ୍ୱପ୍ନର ଘର କିଣିବାକୁ ଯାଉଥିବା ଲୋକମାନଙ୍କ ସହିତ ଠକେଇ ମଧ୍ୟ ସେହି ପରିମାଣରେ ବୃଦ୍ଧିପାଇବାରେ ଲାଗିଛି । ଏବେ ଅଭିଯୋଗ ଆସିଛି କୋଲକତାରୁ । ଏଠାରେ ୭ ସେନସ ଇଣ୍ଟାନ୍ୟାସନାଲ ନାମକୁ ଏକ ରିଏଲ ଷ୍ଟେଟ କମ୍ପାନୀ ଆପାର୍ଟମେଣ୍ଟ ଯୋଗାଇ ଦେବା ନାରେ ଲୋକଙ୍କ ସହ ବହୁ ପରିମାଣର ଅର୍ଥ ଠକେଇ କରିଛି । କୋଟି କୋଟି ଟଙ୍କାର ଏହି ଠକେଇ ମାମଲା ସାମ୍ନାକୁ ଆସିବା ପରେ ଏହି ମାମଲାର ଯାଂଚ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆରମ୍ଭ କରିଛି । ହେଲେ ଏହି ଠକେଇ ମାମଲାରେ ଏବେ ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁଙ୍କ ନାମ ଆସିବା ପରେ ମାମଲା ବେଶ୍ ରୋଚକ ହୋଇଛି ।

ଏହି ରିଏଲ ଷ୍ଟେଟ କମ୍ପାନୀ ଯେଉଁ ଲୋକମାନଙ୍କ ଠକିଛି ସେମାନେ ଏବେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ମଧ୍ୟରେ ଗୋଟିଏ ଅଭିଯୋଗରେ ନୁସରତ ଜାହାଁଙ୍କ ନାମ ଆସିଛି । ଶନିବାର ଦିନ ନୁସରତଙ୍କ ନାମରେ ଏହି ଅଭିଯୋଗ ବିଜେପି ନେତା ଶଂକୁଦେବ ପାଣ୍ଡା ବ୍ୟକ୍ତିଗତ ଭାବେ କରିଛନ୍ତି । ଶଂକୁଦେବ ପାଣ୍ଡା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି କି ୭ ସେନ୍ସ ଇଣ୍ଟରନ୍ୟାସନାଲ ରିଏଲ ଷ୍ଟେଟ କମ୍ପାନୀର ଯେଉଁ ନିର୍ଦ୍ଦେଶକମାନେ ରହିଛନ୍ତି ସେମାନଙ୍କ ମଧ୍ୟରେ ନୁସରତ ଜାହାଁ ବି ଜଣେ ନିର୍ଦ୍ଦେଶକ । ଏହି କମ୍ପାନୀ ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ପାଖାପଖି ୪୨୯ ଜଣ କର୍ମଚାରୀଙ୍କ ଘର ଯୋଗାଇ ଦେବା ନେଇ ଚୁକ୍ତି କରିଥିଲା । ଏହି ଚୁକ୍ତି ସମୟରେ ଅଗ୍ରୀମଭାବେ କୋଟି କୋଟି ଟଙ୍କା ସେମାନଙ୍କ ଠାରୁ ଠକି ନେଇଛନ୍ତି ।