ଦେଶର ଗୌରବ ନେତାଜୀଙ୍କ ପ୍ରତିମୂର୍ତ୍ତି  । ବେଶ୍ ରୋଚକ ଏହାର ପ୍ରତିଷ୍ଠା ପଛର କାହାଣୀ

125

କନକ ବ୍ୟୁରୋ: ୨୮ ଫୁଟର ପ୍ରତିମୂର୍ତ୍ତି, ୨୬ ,୦୦୦ ଘଣ୍ଟାର ପରିଶ୍ରମ, ଦେଶରୁ ହଟାଇ ଦେଇଛି ଦାସତ୍ୱର ଚିହ୍ନ । ପ୍ରତିଟି ଭାରତୀୟଙ୍କ ମନରେ ଶତଗୁଣ କରିଛି ଅଦ୍ୱିତୀୟ ରାଷ୍ଟ୍ରନାୟକଙ୍କ ବଳିଦାନର ସ୍ମୃତି । ଇଣ୍ଡିଆ ଗେଟ୍ ସମ୍ମୁଖରେ ନେତାଜୀ ସୁଭାଷ ବୋଷଙ୍କ ସୁଉଚ୍ଚ ମୂର୍ତ୍ତି ଉନ୍ମୋଚିତ ହେବା ପରେ ସେଠାରେ ସୃଷ୍ଟି ହୋଇଥିଲା ଏକ ସ୍ୱତନ୍ତ୍ର ଆଭା, ଯାହାକୁ ଅନୁଭବ କରିଛି ସାରା ଦେଶ ।

ପ୍ରତିମୂର୍ତ୍ତି ନୁହେଁ  ଏ ହେଉଛି ଦେଶର ଗୌରବ । ନେତାଜୀ ସମସ୍ତଙ୍କ ହୃଦୟରେ ଥିଲେ , ଅଛନ୍ତି ଆଉ ରହିବେ ଏହିି ଭାବନାକୁ ଦୃଢ କରିଛି ଇଣ୍ଡିଆ ଗେଟ୍ ନିକଟରେ ସ୍ଥାପିତ ଏହି ପ୍ରତିମୂର୍ତ୍ତି । ଏହାକୁ ଗଢିବା ପଛରେ ରହିଛି ଅନେକ ରୋଚକ କାହାଣୀ, ଯାହା ଆପଣଙ୍କୁ ରୋମାଞ୍ଚିତ କରିବ ନିଶ୍ଚୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିଲ୍ଲୀର ଇଣ୍ଡିଆ ଗେଟରେ ଉନ୍ମୋଚନ କରିଛନ୍ତି ନେତାଜୀଙ୍କର ବିରାଟ ଗ୍ରାନାଇଟ୍ ପ୍ରତିମୂର୍ତ୍ତି ।  ଏହାକୁ ନିର୍ମାଣ କରିବାକୁ ୨୬,୦୦୦ ଘଣ୍ଟା ସମୟ ଲାଗିଛି । ରିପୋର୍ଟ ମୁତାବକ, ଏହାକୁ ସ୍ୱତନ୍ତ୍ର ଜେଟ୍ ବ୍ଲାକ୍ ପଥରରେ ନିର୍ମାଣ କରାଯାଇଛି । ଏହାକୁ ଗୋଟିଏ ମାତ୍ର ବିଶାଳ ପଥରରେ ଖୋଦେଇ କରାଯାଇ ନିର୍ମାଣ କରାଯାଇଛି ।  ଏଥିପାଇଁ ଲାଗିଛି ୨୮୦ ମେଟ୍ରିକ୍ ଟନ୍ ଗ୍ରାନାଇଟ୍ । ଆଉ ମୂର୍ତ୍ତି ନିର୍ମାଣ ପରେ ବି କିଛି କମ୍ କସରତ୍ କରିବାକୁ ପଡିନଥିଲା ।

ନେତାଜୀଙ୍କ ଏହି ବିଶାଳ ମୂର୍ତ୍ତିକୁ ତେଲେଙ୍ଗାନାରୁ ଦିଲ୍ଲୀ ଆଣିବା ଏକ ବଡ ଚ୍ୟାଲେଞ୍ଜ ଥିଲା । ଏହାକୁ ସ୍ଥାନାନ୍ତରଣ କରିବାକୁ ୧୪ ଦିନ ସମୟ ଲାଗିଥିଲା । ପ୍ରଥମେ ଯେଉଁ ଟ୍ରକରେ ଏହାକୁ ଅଣାଯାଉଥିଲା ତା’ର ୩୪ଟି ଚକ ଫାଟିଯାଇଥିଲା ।  । ବାରମ୍ବାର ଟାୟାର ବଦଳାଇବାକୁ ପଡିଥିଲା । ଅନ୍ୟ କୌଣସି ଗାଡିରେ ଏହାକୁ ଆଣିବା ସମ୍ଭବ ନହେବାରୁ ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରଲର ନିର୍ମାଣ କରାଯାଇଥିଲା । ନିର୍ମାଣ ହେଲା ୧୦୦ ଫୁଟ ଲମ୍ବର ଏକ ଟ୍ରକ୍ ଏଥିରେ ଲାଗିଥିଲା ୧୪୦ଟି ଟାୟାର । ଟ୍ରକଟି ୧୪ ଦିନରେ ୧୬୬୫ କିଲୋମିଟର ବାଟ ଅତିକ୍ରମ କରିଥିଲା ।

ନେତାଜୀଙ୍କ ଏହି ଭବ୍ୟ ମୂର୍ତ୍ତିକୁ ନିର୍ମାଣ କରିଥିଲେ ଓଡିଶା ମାଟିର ଶିଳ୍ପୀ ଅରୁଣ ଯୋଗୀରାଜ । ଏହାର ନିର୍ମାଣରେ ବ୍ୟବହାର ହୋଇଛି ପାରମ୍ପରିକ କୌଶଳ ସାଙ୍ଗକୁ ଆଧୁନିକ ଉପକରଣ । ଏହା ଦେଶର ସବୁଠୁ ଉଚ୍ଚ ମୂର୍ତ୍ତି ମାନଙ୍କ ମଧ୍ୟରେ ଅନ୍ୟତମ  । ଏହାର ଉଚ୍ଚତା ୨୮ ଫୁଟ ଯାହା ଦୁଇ ମହଲା କୋଠା ଉଚ୍ଚତାଠାରୁ ସାମାନ୍ୟ ଅଧିକ । ମୂର୍ତ୍ତିର ଓଜନ ୬୫ ଟନ୍ ବା ୬୫,୦୦୦ କେଜି ।

ଗୁରୁବାର ଏହି ସୁଉଚ୍ଚ ମୂର୍ତ୍ତି ଉନ୍ମାଚନ ହେବା ସହ ଦେଶରୁ ଦାସତ୍ୱର ଚିହ୍ନ ଲିଭଯାଇଛି  । ଅତୀତକୁ ଛାଡି ଭବିଷ୍ୟତର ନୂଆ ଛବିରେ ଦେଶ ରଙ୍ଗେଇ ହୋଇଛି । ଏହାପୂର୍ବରୁ ଏହି ସ୍ଥାନରେ ବ୍ରିଟିଶ୍ ରାଜସଭାର ପ୍ରତିନିଧିଙ୍କ ପ୍ରତିମୂର୍ତ୍ତି ଥିଲା । ଏବେ ଦେଶ ସେହି ସ୍ଥାନରେ ନେତାଜୀଙ୍କ ମୂର୍ତ୍ତି ସ୍ଥାପନା କରି ସଶକ୍ତ ଭାରତର ପ୍ରାଣ ପ୍ରତିଷ୍ଠା କରିଛି । ଏହା କେବଳ ନେତାଜୀଙ୍କର ମୂର୍ତ୍ତି ନୁହେଁ ବରଂ ଭାରତର ଆତ୍ମ ବିଶ୍ୱାସର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।