ମୌସୁମୀ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ : ବାଚସ୍ପତି ହେବା ପରେ ପ୍ରଥମ ଥର ଗୃହ ପରିଚାଳନା କଲେ ବିକ୍ରମ ଆରୁଖ

127

କନକ ବ୍ୟୁରୋ : ବିଧାନସଭା ଅଧିବେଶନ ପାଇଁ ବସିଛି ସର୍ବଦଳୀୟ ବୈଠକ । ବଡ଼ କଥା ହେଉଛି ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ । ଏଥିରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ସହ ମନ୍ତ୍ରୀ, ବିଧାୟକ, ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ ଓ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଯୋଗଦେଇଛନ୍ତି ।

ଗତ ଅଧିବେଶନରେ ବାଚସ୍ପତି ଥିଲେ ସୂର୍ଯ୍ୟନରାୟଣ ପାତ୍ର । ହେଲେ ଏଥର ବାଚସ୍ପତି ବଦଳି ଯାଇଛନ୍ତି । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଗଣତନ୍ତ୍ରରେ ଏହା ଏକ ଚମତ୍କାର ଦୃଶ୍ୟ ।ସେପଟେ ଏଥର ବିଧାନସଭା ଅଧିବେଶନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । କାରଣ ବଜେଟ୍ ଅଧିବେଶନ ପୂର୍ବରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ମଣ୍ଡଳରେ ବ୍ୟାପକ ପରିବର୍ତନ କରିଛନ୍ତି । ଜୁଲାଇ ୨ ତାରିଖରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ । ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ । ପୂର୍ବରୁ ଆର୍ଥିକ ବର୍ଷର ପ୍ରଥମ ୩ ମାସ ପାଇଁ କାମ ଚଳା ବଜେଟ୍ ବା ଲେଖାନୁଦାନ ଆଗତ କରିଥିଲେ ଅର୍ଥମନ୍ତ୍ରୀ ।

ସେପଟେ କରୋନା ସଂକ୍ରମଣ ଯୋଗୁଁ ବିଧାନସଭା ଲବି ଭିତରକୁ ସାମ୍ବାଦିକ ମାନଙ୍କ ପ୍ରବେଶ ଉପରେ କଟକଣା ରହିଛି । ଏଥର କରୋନା ଭୟ ଦୁର ହୋଇଥିବାରୁ ୨ ବର୍ଷ ପରେ ଭକ୍ତଙ୍କୁ ନେଇ ରଥଯାତ୍ରା ଅନୁଷ୍ଠିତ ହେଉଛି । ୧୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ଅଶାକରାଯାଉଥିବା ବେଳେ କୌଣସି କଠୋର କଟକଣା ନାହିଁ । ତେଣୁ ବିଧାନସଭା ଲବିକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣା ଏଥର ଅଧିବେଶନରେ ହଟିବ ବୋଲି ଅଶାକରାଯାଉଛି ।