ମୁମ୍ବାଇ ଫେରିବେ ଶିବସେନାର ବିଦ୍ରୋହୀ ବିଧାୟକ, ଗୌହାଟୀ ଛାଡିବା ପୂର୍ବରୁ କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା

131

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଜାରି ରହିଛି କ୍ଷମତା ସଂକଟ । ଏହାରି ମଧ୍ୟରେ ସିନ୍ଦେ ଗ୍ରୁପରେ ସାମିଲ ହୋଇ ଗୌହାଟୀର ଏକ  ହୋଟେଲରେ ଥିବା ଶିବସେନାର ବିଦ୍ରୋହୀ ବିଧାୟକମାନେ ଆଜି ଗୋଆ ଯିବେ ଓ ଆସନ୍ତା କାଲି ଗୋଆରୁ ସିଧା ବିମାନ ଯୋଗେ ମହାରାଷ୍ଟ୍ର ବିଧାନସଭାରେ ପହଂଚିବେ ବୋଲି ସ୍ପଷ୍ଟ ହୋଇଛି । ସେମାନେ ମୁମ୍ବାଇ ଫେରିବା ପୂର୍ବରୁ ଆସାମର ପସିଦ୍ଧ ଧର୍ମସ୍ଥଳୀ କାମାକ୍ଷା ମନ୍ଦିର ଦର୍ଶନ କରିଛନ୍ତି ।

କହିରଖୁ କି ଗତକାଲି ରାତିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନଭିସ ରାଜ୍ୟପାଳ ଭଗତସିଂ କୋଶିୱାରୀଙ୍କୁ ଭେଟି ମହାବିକାଶ ଅଘାଡି ସଂଖ୍ୟାଗରିଷ୍ଠତା ପ୍ରମାଣ କରୁବୋଲି ଦାବି କରିଥିଲେ । ଏହାପରେ ଆଜି ରାଜ୍ୟପାଳ ବିଧାନସଭାରେ ଜୁନ ୩୦ ତାରିଖକୁ ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଧିବେଶନରେ ମହାବିକାଶ ଅଘାଡିକୁ ବହୁମତ ପ୍ରମାଣ କରିବାକୁ କୁହାଯିବ ।

 

ହେଲେ ରାଜ୍ୟପାଳ ବିଧାନସଭାରେ ମହାବିକାଶ ଅଘାଡିକୁ ବହୁମତ ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହା ବିରୋଧରେ ସୁପ୍ରିମ କୋର୍ଟ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏହାସହ ମେଣ୍ଟ ସରକାରରେ ସହଯୋଗୀ ଥିବା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରେ ମେଣ୍ଟ ସରକାରର ନେତୃତ୍ୱମାନେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏଥିରେ ଶିବସେନା, କଂଗ୍ରେସ ଓ ଏନସିପିର କିଛି ବରିଷ୍ଠ ନେତା ଯୋଗ ଦେଇଥିଲେ ।