କିଡନୀ ଦେବାକୁ କହି ଠକେଇ: ୧୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ, ଥାନାରେ ଅଟକ ଦମ୍ପତି

176

କନକ ବ୍ୟୁରୋ: କଟକରେ କିଡନୀ ଦେବାକୁ କହି ଦମ୍ପତିଙ୍କ ଠକେଇ ଅଭିଯୋଗ । ମାମଲାରେ ସ୍ୱା-ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଅଭିଯୋଗ ଅନୁସାରେ, କିଡନୀ ଦେବାକୁ କହି ଏହି ଦମ୍ପତି ସାଢେ ୧୨ ଲକ୍ଷ ଟଙ୍କା ଠକିନେଇଥିଲେ । ଏବେ ଘଟଣାର ସତ୍ୟତା ଖୋଜୁଛି ପୁଲିସ । ଅନ୍ୟମାନଙ୍କ ସଂପୃକ୍ତି ସମ୍ପର୍କରେ ବି ଛାନଭିନ କରାଯାଉଛି ।

କିଡନୀ ଦେବାକୁ କହି ଠକେଇ କରିଥିବା, ଏହି ଦମ୍ପତିଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିବା ପରେ ଏମାନଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ଖୋଜୁଛି । ଅଭିଯୋଗ ଅନୁସାରେ, କେନ୍ଦୁଝର ଜିଲ୍ଲାର କୁଟୁଲଙ୍କୁ ମାର୍କଣ୍ଡ ଓ ତାଙ୍କର ପତ୍ନୀ ଶାନ୍ତିଲତା କିଡନୀ ଦେବାକୁ କହି ପ୍ରାୟ ୧୨ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ । ହେଲେ, ମାସ ମାସ ଧରି ଠକି ଚାଲିବା ପରେ ବୁଧବାର ରାଣୀହାଟ ଅଂଚଳରୁ ଉଭୟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଧରିଥିଲେ କୁଟୁଲ । ଏବଂ ମଂଗଳବାଗ ପୋଲିସର ଜିମା ଦେଇଥିଲେ । ତେବେ କିଡନୀ ଦେବା ଲାଗି ଥିବା ନିୟମକୁ ପାଳନ କରାଯାଇଥିଲା କି ନାହିଁ ଏବଂ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି, ତାର ତଦନ୍ତ କରାଯାଉଛି ବୋଲି କହିଛନ୍ତି କଟକ ଡିସିପି ।

ଏହି ଘଟଣା ନେଇ ଏସସିବି ମେଡିକାଲର ପ୍ରଶାସନିକ ଅଧିକାରୀ କହିଛନ୍ତି କିଡନୀ ଦେବା ପାଇଁ ସମସ୍ତ ପ୍ରକ୍ରିୟା ହୋଇଥିଲା । କିନ୍ତୁ ଟଙ୍କା କାରବାର ଆଇନ ସମ୍ମତ ନୁହେଁ । ପୋଲିସ ଏହି ଦିଗରେ ତଦନ୍ତ କରି ପଦକ୍ଷେପ ନେବା ଆବଶ୍ୟକ ।

କେନ୍ଦୁଝରର କୁଟୁଲ କୁମାର ମାଝୀ କିଡନୀ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ କଟକ ଆସିଥିଲେ । ପରୀକ୍ଷା ପରେ ତାଙ୍କର ୨ଟି ଯାକ କିଡନୀ ଖରାପ ହୋଇଥିବା ଜଣାପଡ଼ିଥିଲା । କିଡନୀ ପ୍ରତିରୋପଣ କରିବାକୁ ଡାକ୍ତର କହିଥିଲେ । ହେଲେ କିଡନୀ କେଉଁଠୁ ମିଳିବ, କେମିତି ପ୍ରତିରୋପଣ ହେବ, ଏସବୁକୁ ନେଇ ଚିନ୍ତାରେ ଥିଲେ କୁଟୁଲ ଓ ତାଙ୍କ ପରିବାର । ଏହି ସମୟରେ ବାଲେଶ୍ୱରର ମାର୍କଣ୍ଡ ନାଥଙ୍କ ସହ ଯୋଗାଯୋଗ କରିଥିଲେ, ଆଉ ଟଙ୍କା ଦେଲେ କିଡନୀ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ବିଶ୍ୱାସ କରି ଟଙ୍କା ଦେଇଥିଲେ କୁଟୁଲଙ୍କ ପରିବାର । ହେଲେ, ଟଙ୍କା ନେବା ପରେ ଠକି ଚାଲିଥିଲେ ବୋଲି ଅଭିଯୋଗ କରିଛନ୍ତି କୁଟୁଲଙ୍କ ସମ୍ପର୍କୀୟ । କଟକର କିଡନୀ ପାଇଁ ଠକେଇ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।