ଡରାଉଛି କିଡନୀ ରୋଗ, ଗାଁ ଛାଡ଼ୁଛନ୍ତି ଲୋକ। ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକ ବାବୁପାଲି ଗୌରଗୋଠ ଗାଁରେ ଆତଙ୍କ । 

182

କନକ ବ୍ୟୁରୋ: ଘରେ ତାଲା ପଡ଼ିଛି, ଆଉ ଘର ଲୋକ ଗାଁ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି । ହେଲେ ଏହା ପଛର କାରଣ ଜାଣିଲେ ଆପଣ ବି ଚିନ୍ତିତ ହୋଇପଡ଼ିବେ । ଏପରି ଦୃଶ୍ୟ ଆସିଛି ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ବାବୁପାଲି ଗୌରଗୋଠ ଗାଁରୁ । ପୂରା ଗାଁରେ ଏବେ ଆତଙ୍କ ଖେଳିଯାଇଛି, ଆଉ ଏହି ଆତଙ୍କର କାରଣ ହେଉଛି କିଡନୀ ରୋଗ । ଗାଁରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜଣକ ପରେ ଜଣେ ଆରପାରିକୁ ଚାଲିଯାଉଛନ୍ତି । ୫ ବର୍ଷରେ ୮ ଜଣ କିଡନୀ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି । ଖାଲି ସେତିକି ନୁହେଁ, ଏବେ ବି ୧୦ ଜଣ କିଡନୀ ରୋଗୀ ଜୀବନ ସହ ସଂଗ୍ରାମ କରୁଛନ୍ତି । ଗତ ୩ଦିନ ତଳେ ଜଣେ  କିଡନୀ ରୋଗୀଙ୍କ ମୃତ୍ୟୁ ହୋଇଛି । ଫଳରେ ଏବେ ଗାଁରେ କୋକୁଆ ଭୟ ଖେଳିଯାଇଛି । ଭୟରେ ଗାଁ ଛାଡ଼ି ଲୋକ ଅନ୍ୟତ୍ର ପଳାଇ ଯାଉଛନ୍ତି । ପୂର୍ବରୁ ଏହି ପଡାର ଲୋକ ସଂଖ୍ୟା ୧୦୦ ଥିବା ବେଳେ ଏବେ ଗାଁରେ ମାତ୍ର ୬୦ ଜଣ ଲୋକ ରହୁଛନ୍ତି ।

ହେଲେ କାହିଁକି କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି । ୨୦୧୯ର ତଥ୍ୟ ଅନୁସାରେ ରାଜ୍ୟରେ ୨ ଲକ୍ଷରୁ ଅଧିକ କିଡନୀ ରୋଗୀ ଥିଲେ । ଏମାନଙ୍କ ମଧ୍ୟରୁ ବର୍ଷକୁ ୩୦୦ରୁ ୪୦୦ଙ୍କ ମୃତ୍ୟୁ ଘଟୁଛି । ବିଶେଷକରି କଟକ, ଯାଜପୁର, ବୌଦ୍ଧ, ଭଦ୍ରକ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ନୟାଗଡ଼, ମାଲକାନଗିରି, କନ୍ଧମାଳ ଓ ଝାରସୁଗୁଡ଼ାରୁ ଅଧିକ କିଡନୀ ସମସ୍ୟା ସାମ୍ନାକୁ ଆସୁଛି ।

କାହିଁକି ବ୍ୟାପେ କିଡନୀ ରୋଗ?

• ଦୂଷିତ ପାନୀୟ ଜଳ ବ୍ୟବହାର ଏହାର ଏକ କାରଣ

• ପାନୀୟ ଜଳରେ ଅଧିକ ବିଷାକ୍ତ ପଦାର୍ଥ ଥିଲେ କିଡନୀ ରୋଗ ସୃଷ୍ଟି କରେ

• ଜଳରେ ଅଧିକ ଧାତବ ଅଂଶ ରହିଲେ କିଡନୀ ରୋଗର ଆଶଙ୍କା ରହିଛି

• ଦୂଷିତ ଖାଦ୍ୟ ଖାଇଲେ ବି କିଡନୀ ସମସ୍ୟା ହୋଇପାରେ