ଧୁମଧାମରେ ପାଳନ ହେଲା ହନୁମାନ ଜୟନ୍ତୀ, ବିିଭିନ୍ନ ସ୍ଥାନରେ ବଡ଼ ବଡ଼ ଶୋଭାଯାତ୍ରାରେ ସାମିଲ ହେଲେ ହଜାର ଲୋକେ

105

କନକ ବ୍ୟୁରୋ : ହନୁମାନ ଜୟନ୍ତୀ ପାଇଁ ଦିଲ୍ଲୀର ଜାହାଙ୍ଗୀରପୁର ହୋଇଛି ବଡ ଧରଣର ଶୋଭାଯାତ୍ରା । ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ହଜାର ହଜାର ଲୋକେ ସାମିଲ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ରାମନବମୀରେ ବିଭିନ୍ନ ରାଜ୍ୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକୁ ଦୃଷ୍ଟିରେ ରଖି ବୁଧବାର କେନ୍ଦ୍ର ଗୃହମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ଆଗୁଆ ସର୍ତକତା କରାଇଥିଲା । କୌଣସି ରାଜ୍ୟରେ ଯେଭଳି ସାମ୍ପ୍ରଦିକ ହିଂସା ନ ହୁଏ ସେଥିପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ପର୍ବକୁ ଶାନ୍ତିପୂର୍ଣ୍ଣ ପାଳନ ସହ କୌଣସି ସାମ୍ପ୍ରଦାୟିକ ସଦଭାବନା ଯେପରି କ୍ଷୁର୍ଣ୍ଣ ନ ହୁଏ, ତାହା ଉପରେ ନଜର ରଖିବାକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଗତବର୍ଷ ଜାହାଙ୍ଗୀରପୁରରେ ବ୍ୟାପକ ହିଂସା ସୃଷ୍ଟି ହୋଇଥିଲା । ଏବେ ଗୃହମନ୍ତ୍ରାଳୟ ନିର୍ଦ୍ଦେଶ ପରେ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ନଜର ରଖିଛି ପୋଲିସ । ମନ୍ଦିର ଆଖପାଖରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଆଇନଶୃଙ୍ଖଳା ଉପରେ କଡା ନଜର ରଖାଯାଇଛି ।ସେହିପରି ସମ୍ବେଦନଶୀଳ ଅଂଚଳରେ ପୋଲିସ ହାଇଆଲର୍ଟରେ ରହିଛି । ଉତରଖଣ୍ଡ ଓ ପଶ୍ଚିମବଙ୍ଗରେ ବି ଦଙ୍ଗା ଉପରେ ନଜର ରଖିଛି ପୋଲିସ । ସେପଟେ ବିଭିନ୍ନ ରାଜ୍ୟରେ ଥିବା ହନୁମାନଙ୍କ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି । ଭକ୍ତମାନେ ଶାନ୍ତି ଶୃଙ୍ଖଳାର ସହ ଯାଇ ହନୁମାନଙ୍କୁ ଦର୍ଶନ କରୁଛନ୍ତି ।