ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲଗାଇବାକୁ ମନାକଲା କେରଳ । ରାଜ୍ୟ ଅର୍ଥମନ୍ତ୍ରୀ କହିଲେ, ଖୁଚୁରା ବ୍ୟବସାୟୀଙ୍କଠାରୁ ଆଦାୟ ହେବନି ଟିକସ ।

181

କନକ ବ୍ୟୁରୋ: ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଉପରେ ଟିକସ ଲଗାଇବ ନାହିଁ କେରଳ । ମୁଢ଼ି, ଚୁଡ଼ା, ଗୁଡ଼, ଅଟା ଏବଂ ଅନ୍ୟ ଖାଦ୍ୟ ପଦାର୍ଥ ଉପରେ କେନ୍ଦ୍ର ସରକାର ଜିଏସଟି ଲଗାଇବା ପରେ ଏହା ବିରୋଧରେ ପ୍ରତିବାଦ ତେଜିବାରେ ଲାଗିଛି ଆଉ ଏଥିରେ ଏକ ପାଦ ଆଗେଇଛି କେରଳ । କୌଣସି ପରିସ୍ଥିତିରେ ଏହି ସବୁ ପଦାର୍ଥ ଉପରେ ରାଜ୍ୟରେ ଟିକସ ଲାଗୁ ହେବନାହିଁ ବୋଲି କହିଛନ୍ତି କେରଳ ସରକାର ।

ମହିଳାଙ୍କ ଗ୍ରୁପ୍ ଦ୍ୱାରା ‘କୁଡୁମ୍ବଶ୍ରୀ’ କେନ୍ଦ୍ର କିମ୍ବା ଛୋଟ ଦୋକାନରେ କେଜିଏ ଓ ଦୁଇ କେଜି ପ୍ୟାକେଟ୍ ଜରିଆରେ ବିକ୍ରି ହେଉଥିବା ସାମଗ୍ରୀ ଉପରେ କେରଳରେ ଟିକସ ଲାଗିବ ନାହିଁ । ଏପରି ନିଷ୍ପତି କେନ୍ଦ୍ର ସରକାରଙ୍କ ସହ ବିବାଦ ବଢ଼ାଇପାରେ କିନ୍ତୁ ଆମେ ଏଥିରେ ବୁଝାମଣା କରିବାକୁ ନାହିଁ ବୋଲି ବିଧାନସଭାରେ କହିଛନ୍ତି କେରଳର ଅର୍ଥମନ୍ତ୍ରୀ । ଏ ନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି କେରଳ ସରକାର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି କେରଳର ମୁଖ୍ୟମନ୍ତ୍ରୀ ପି. ବିଜୟନ । ସେ କହିଛନ୍ତି, ଛୋଟ ଦୋକାନୀ ଓ ଛୋଟ ଛୋଟ ମିଲରେ ଖାଦ୍ୟ ସାମଗ୍ରୀକୁ ପ୍ୟାକେଟ୍ କରି ରଖାଯାଏ । ଫଳରେ ଗ୍ରାହକମାନେ ଅଧିକ ସମୟ ନଷ୍ଟ ନକରି ତୁରନ୍ତ କିଣି ନେଇଥାନ୍ତି । ସାଧାରଣତଃ ଅଧିକାଂଶ ଖୁଚୁରା ଦୋକାନରେ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡିକୁ ପ୍ୟାକେଟ୍ କରି ରଖାଯାଏ । ଯଦି ସେହି ସାମଗ୍ରୀ ଉପରେ ଟିକସ ବସିବ, ତେବେ ସାଧାରଣ ଲୋକ ପ୍ରଭାବିତ ହେବେ । ମହିଳା ସଶକ୍ତିକରଣ ପାଇଁ ଏସଏଚଜି ଜରିଆରେ ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ବିକ୍ରିବଟା କରିଥାନ୍ତି । ସେଗୁଡିକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଏଥିରେ ଜିଏସଟି ଲଗାଇବାକୁ ମନା କରି ଦେଇଛି କେରଳ । ତେବେ ପ୍ରଶ୍ନ ଉଠୁଛି, କେନ୍ଦ୍ରୀୟ ଟିକସ ଲଗାଇବାକୁ ମନା କରିପାରିବ କି କେରଳ?