ଦିଲ୍ଲୀରେ ବୃଦ୍ଧି ପାଇଲା ବିଧାୟକଙ୍କ ଦରମା, ଜାଣନ୍ତୁ ଅନ୍ୟ କେଉଁ ରାଜ୍ୟରେ ବିଧାୟକଙ୍କ ବେତନ କେତେ

444

କନକ ବ୍ୟୁରୋ: ୧୨ ବର୍ଷ ପରେ ବୃଦ୍ଧି ହୋଇଛି ଦିଲ୍ଲୀରେ ବିଧାୟକଙ୍କ ଦରମା । ଏବେ ବିଧାୟକଙ୍କୁ ୫୪ ହଜାର ବଦଳରେ ୯୦ ହଜାର ଟଙ୍କା ବେତନ ଆକାରରେ ମିଳିବ । ସେହିପରି ମନ୍ତ୍ରୀ , ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ଉପବାଚସ୍ପତି ଓ ବିରୋଧୀ ନେତାଙ୍କ ଦରମା ୭୨ ହଜାରୁ ବଢି ୧ ଲକ୍ଷ ୭୦ ହଜାର ଟଙ୍କା ହୋଇଛି । ଏଥିରେ ବେତନ ସହ ବିଭିନ୍ନ ଭତ୍ତା ମଧ୍ୟ ସାମିଲ ହୋଇଛି ।

ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଗତ ବର୍ଷ ବିଧାୟକ ଓ ମନ୍ତ୍ରୀ ମାନଙ୍କର ବେତନ ବୃଦ୍ଧି ନେଇ ବିଧାନସଭାରେ ବିଲ ଆଗତ କରିଥିଲେ । ଏବେ ଏହି ପ୍ରସ୍ତାବକୁ କେନ୍ଦ୍ର ମଞ୍ଜୁରୀ ଦେଇଛି । ମଞ୍ଜୁରୀ ପରେ ଆଇନ୍ ବିଭାଗ ଏହାର ଔପଚାରିକ ଇସ୍ତାହାର ଜାରି କରିଛି । ବେତନ ବୃଦ୍ଧି ପ୍ରସ୍ତାବକୁ ମଂଜୁରୀ ମିଳିବା ପରେ ବିଧାୟକଙ୍କ ବେତନରେ ୬୭ ପ୍ରତିଶତ ଓ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଦରମାରେ ୧୩୬ ପ୍ରତିଶତ ବୃଦ୍ଧି ହୋଇଛି ।

ଏଥର ଆସନ୍ତୁ ଜାଣିବା ଅନ୍ୟ ରାଜ୍ୟରେ ବିଧାୟକ, ମନ୍ତ୍ରୀଙ୍କ ବେତନ କେତେ । ବିଭିନ୍ନ ରାଜ୍ୟର ବିଧାୟକଙ୍କ ବେତନ ଭିନ୍ନ ଭିନ୍ନ ହୋଇଥାଏ । ଗତ ବର୍ଷ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ ତେଲେଙ୍ଗାନାର ବିଧାୟକ ଓ ମନ୍ତ୍ରୀଙ୍କ ବେତନ ସବୁଠୁ ଅଧିକ । ତେଲେଙ୍ଗାନାରେ ପ୍ରତି ବିଧାୟକଙ୍କ ମାସିକ ବେତନ ୨ ଲକ୍ଷ ୫୦ ହଜାର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର । ଏଠାରେ ବିଧାୟକଙ୍କ ମାସିକ ଦରମା ୨ ଲକ୍ଷ ୩୨ ହଜାର ।

ରାଜ୍ୟ                    ବିଧାୟକଙ୍କ ମାସିକ ବେତନ
——-                ————————-
ତେଲେଙ୍ଗାନା           ୨ ଲକ୍ଷ ୫୦ ହଜାର
ମହାରାଷ୍ଟ୍ର               ୨ ଲକ୍ଷ ୩୨ ହଜାର
ଉତ୍ତରପ୍ରଦେଶ          ୧ଲକ୍ଷ ୮୭ ହଜାର
ଉତ୍ତରାଖଣ୍ଡ             ୧ ଲକ୍ଷ ୬୦ ହଜାର
ଆନ୍ଧ୍ରପ୍ରଦେଶ            ୧ ଲକ୍ଷ ୩୦ ହଜାର
ହିମାଚଳପ୍ରଦେଶ        ୧ ଲକ୍ଷ ୨୫ ହଜାର
ରାଜସ୍ଥାନ                ୧ ଲକ୍ଷ ୨୫ ହଜାର
ଗୋଆ                   ୧ ଲକ୍ଷ ୧୭ ହଜାର

ଦିଲ୍ଲୀରେ ଶେଷ ଥର ପାଇଁ ୨୦୧୧ ବିଧାୟକ ଓ ମନ୍ତ୍ରୀଙ୍କର ଦରମାରେ ବୃଦ୍ଧି ହୋଇଥିଲା । ତେବେ ବର୍ଦ୍ଧିତ ଦରମା ୨୦୨୩ ଫେବ୍ରୁଆରୀ ୧୪ ତାରିଖରୁ ଲାଗୁ ହେବ ବୋଲି କୁହାଯାଇଛି ।