ରାଜ୍ୟର ଗୋଟିଏ ଜିଲ୍ଲାରେ ଅଛି ମୂଲ୍ୟବାନ ରକ୍ତ ଚନ୍ଦନ ଗଛ । ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ । ଜାଣନ୍ତୁ, କେଉଁ ଜଙ୍ଗଲରେ ଅଛି ରକ୍ତ ଚନ୍ଦନ ଗଛ?

8,191

କନକ ବ୍ୟୁରୋ: ରାଜ୍ୟର ଗୋଟିଏ ଜିଲ୍ଲାରେ ଅଛି ମୂଲ୍ୟବାନ ରକ୍ତଚନ୍ଦନ ଗଛ । ମଙ୍ଗଳବାର ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ମନ୍ତ୍ରୀଙ୍କ କହିବା ମୁତାବକ, ରାଜ୍ୟର ଗଜପତି ଜିଲ୍ଲାରେ ଥିବା ପାରଳାଖେମୁଣ୍ଡି ବନଖଣ୍ଡରେ ରକ୍ତଚନ୍ଦନ ଗଛ ରହିଛି । ଏହି ବନଖଣ୍ଡର ଲାବଣ୍ୟଗଡ ଜଙ୍ଗଲ ଓ କିଞ୍ଚିଲିଙ୍ଗି ବିଟରେ ଏହାର ଆକଳନ କରାଯାଇଛି । ତେବେ ଏହି ଜଙ୍ଗଲରେ ୩୦ ସେଣ୍ଟିମିଟର ଗୋଲାଇରୁ ଅଧିକ ୧୧୯ଟି ଗଛ ରହିଛି ବୋଲି ମନ୍ତ୍ରୀ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଧାନସଭାରେ ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଏକ ଅଣତାରକା ପ୍ରଶ୍ନ କରିଥିଲେ । ରାଜ୍ୟର କେଉଁ କେଉଁ ଜଙ୍ଗଲରେ ଓ କେଉଁ ଜିଲ୍ଲାରେ କେତେ ରକ୍ତ ଚନ୍ଦନ ଗଛ ଅଛି ସେନେଇ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ । ଖାଲି ସେତିକି ନୁହେଁ, ରାଜ୍ୟରେ ରକ୍ତ ଚନ୍ଦନ ଗଛର ସଂଖ୍ୟା କେତେ ଓ ଜଙ୍ଗଲରେ ଥିବା ମୂଲ୍ୟବାନ ଶାଗୁଆନ୍ କାଠ, ଶାଳ କାଠ ଓ ଅନ୍ୟାନ୍ୟ ଗଛକୁ କାଟି ତାର ଚୋରା ଚାଲାଣ ବନ୍ଦ କରିବାକୁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ବିଧାୟକ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିବା ସହିତ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ସୂଚନା ରଖିଛନ୍ତି ।