ଚର୍ଚ୍ଚାରେ ଦାଦା-ପୁତୁରାଙ୍କ ତରଭୁଜ ଚାଷ । ୩ ଏକରରୁ ଅଧିକ ଜମିରେ ଲଗାଇଛନ୍ତି ତରଭୁଜ । ଓଡିଶା ବଜାର ସମେତ ପଡୋଶୀ ରାଜ୍ୟକୁ ହେଉଛି ରପ୍ତାନୀ

261

କନକ ବ୍ୟୁରୋ: ରାଜ୍ୟରେ ପାରଦ ଏବେ ଉପର ମୁହାଁ । ଆଉ ଡହ ଡହ ଖରାରେ ଶୋଷ ଟିକିଏ ମେଣ୍ଟାଇବା ପାଇଁ ତରଭୁଜ ଖାଇବାକୁ କିଏ ବା ଭଲ ନପାଏ । ମାଲକାନଗିରି ଜିଲ୍ଲାର ସୁଆଦିଆ ତରଭୁଜର ଚାହିଦା ଏବେ ରାଜ୍ୟ ସମେତ ପଡୋଶୀ ରାଜ୍ୟରେ ରହିଛି । ମାଲକାନଗିରି ଏମଭି ୩୨ ଗାଁର ବିଜୟ ମଜୁମଦାର ଓ ଜୟନ୍ତ ମଜୁମଦାର ଏହି ଚାଷ କରିଛନ୍ତି । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ପ୍ରତି ବର୍ଷ ତରଭୁଜ ଚାଷ କରନ୍ତି ବିଜୟ ଏବଂ ଜୟନ୍ତ । ସମ୍ପର୍କରେ ବିଜୟ ଓ ଜୟନ୍ତ ଦାଦା ପୁତୁରା ହୋଇଥିବା ବେଳେ ଉଭୟ ଦାଦା ପୁତୁରା ମିଶି ସାଢେ ତିନି ଏକର ଜମିରେ ତରଭୁଜ ଚାଷ କରିଛନ୍ତି । ପ୍ରତି ବର୍ଷ ଟନ ଟନ ତରଭୁଜ ଅମଳ କରନ୍ତି ।

  • ଶୋଷ ମେଣ୍ଟାଉଛି ସୁଆଦିଆ ତରଭୁଜ
  • ଚର୍ଚ୍ଚାରେ ଦାଦା-ପୁତୁରାଙ୍କ ତରଭୁଜ ଚାଷ

ଏହି ସୁଆଦିଆ ତରଭୁଜ ଉତ୍ପାଦନ ଲାଗି ବିଜୟ ଓ ତାଙ୍କ ପୁତୁରା ଜୟନ୍ତ ଏକର ପିଛା ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ଉଭୟଙ୍କ ପୂରା ପରିବାର ଏହି କାମରେ ତାଙ୍କୁ ସହଯୋଗ କରନ୍ତି । ଆଉ ଚାଷର ଦୁଇ ମାସ ପରେ ଆରମ୍ଭ ହୋଇଛି ଅମଳ । ଆଉ ପ୍ରତି ଥର ପରି ଏଥର ମଧ୍ୟ ୧୫ ହଜାର ଟଙ୍କା ବିନିମୟରେ ଏକର ପିଛା ୪୦ ରୁ ୫୦ ହଜାର ଟଙ୍କା ରୋଜଗାର ହେବାର ଲକ୍ଷ୍ୟ ରଖିଛନ୍ତି ବିଜୟ ଓ ଜୟନ୍ତ ।

  • ମାଲକାନଗିରି ତରଭୁଜକୁ ନେଇ ଚାରିଆଡ଼େ ଚର୍ଚ୍ଚା
  • ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ତି ଦାଦା-ପୁତୁରା

ମାଲକାନଗିରିର ଏହି ସୁଆଦିଆ ତରଭୁଜକୁ ବ୍ୟବସାୟୀ ମାନେ ଚାଷୀଙ୍କ ବିଲରୁ ହିଁ ୮ ରୁ ୧୦ ଟଙ୍କା ପ୍ରତି କିଲୋ ଦରରେ କିଣି ନିଅନ୍ତି । ଏଥିସହ ଜାତୀୟ ରାଜପଥ କଡରେ ତରଭୁଜ କାଟି ବିକ୍ରି କରି ମଧ୍ୟ ଦୁଇ ପୁଇସା ରୋଜଗାର କରନ୍ତି ଚାଷୀ କୁଳ । ଚଳିତ ବର୍ଷ ଜିଲ୍ଲାର ସମସ୍ତ ୭ଟି ବ୍ଲକରେ ୧୧୨ ହେକ୍ଟର ଜମିରେ ୨୦୦୦ରୁ ଅଧିକ ମେଟ୍ରିକ ଟନ୍ ତରଭୁଜ ଉତ୍ପାଦନ ହୋଇଥିବା ଜଣାପଡିଛି । ଏଥିପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ହାଇବ୍ରିଡ୍ ବିହନ ସାଙ୍ଗକୁ ଉଭୟ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଯୋଜନାରେ ପ୍ରୋତ୍ସାହନ ଯାଗାଇବା ବ୍ୟବସ୍ଥା ରହିଥିବା କହିଛନ୍ତି ମାଲକାନଗିରି ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ।

ଓଡିଶା ବଜାର ସମେତ ପଡୋଶୀ ରାଜ୍ୟକୁ ରପ୍ତାନୀ ହୁଏ ମାଲକାନଗିରି ଜିଲ୍ଲାରୁ ଉତ୍ପାଦନ ହେଉଥିବା ତରଭୁଜ । ବିଶେଷକରି ପଡୋଶୀ ଛତିଶଗଡ ଓ ଆନ୍ଧ୍ର ବଜାରରେ ମାଲକାନଗିରି ତରଭୁଜର ବେଶ ଚାହିଦା ରହିଛି । ତେଣୁ ସ୍ୱତନ୍ତ୍ର ପ୍ରଡ୍ୟୁସର ଗ୍ରୁପ କରି ଚାଷୀ ତାର ଝାଳ ବୁହା ପରିଶ୍ରମରୁ ଉଚିତ୍ ମୂଲ୍ୟ ପାଇପାରୁଛି ।