ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଏହି ବର୍ଗର ଲୋକଙ୍କୁ ୬୦ ନୁହେଁ ବରଂ ୫୦ବର୍ଷ ପରେ ମିଳିବ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା

202

କନକ ବ୍ୟୁରୋ : ଝାଡଖଣ୍ଡ ମୁୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏସସି, ଏସଟି, ଓବିସି ଓ ଆଦିବାସୀ ଲୋକଙ୍କୁ ବଡ ଉପହାର ଦେଇଛନ୍ତି । ସେ କହିଛନ୍ତି କି ଖୁବଶୀଘ୍ର ଏହି ବର୍ଗର ଲୋକଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତାର ବୟସ ସୀମା କୋହଳ କରାଯିବ । ସେମାନଙ୍କୁ ୬୦ ବର୍ଷ ପରେ ନୁହେଁ ବରଂ ୫୦ ବର୍ଷ ପରେ ଏହି ପେନସନ୍ ଯୋଗାଇ ଦିଆଯିବ । ହେମନ୍ତ ସୋରେନ ସରକାରଙ୍କ ୪ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଞ୍ଚି ମୋରହାବାଦୀ ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି କି, ଆମ ପଡୋଶୀ ରାଜ୍ୟ ଓଡିଶା, ବିହାର, ଛତିଶଗଡ ଓ ପଶ୍ଚିମବଙ୍ଗରେ ବରିଷ୍ଠ ନାଗରିକଙ୍କୁ ପେନସନ ବାବଦରେ ୨୫୦ ରୁ ୩୦୦ ଟଙ୍କା ଓ ଓଡିଶା ସରକାର ୫୦୦ ଟଙ୍କା ପେନସନ୍ ଦେଉଥିବା ବେଳେ ଆମ ସରକାର ଏହି ଯୋଜନାର ଲାଭାର୍ଥୀଙ୍କୁ ମାସିକ ୧ ହଜାର ଟଙ୍କା ପେନସନ୍ ପ୍ରଦାନ କରୁଛି ।

ସୋରେନ୍ କହିଛନ୍ତି କି ଆମ ସରକାର ଆଉ ଏକ ପାଦ ଆଗକୁ ଯାଇ ଆଦିବାସୀ ଓ ଦଳିତ ସମୁଦାୟର ଲାଭାର୍ଥୀଙ୍କ ପାଇଁ ବୟସ ସୀମା କୋହଳ କରି ଏହି ଯୋଜନାର ଲାଭ ପାଇବାକୁ ୬୦ ବର୍ଷ ସ୍ଥାନରେ ୫୦ ବର୍ଷ କରିବାକୁ ଯାଉଛି । ଏହି ଯୋଜନାରେ ଉପରଲିଖିତ ବର୍ଗର ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବା ମହିଳାମାନେ ଲାଭପାଇବେ ।