ସଦ୍ଦାମ ହୁସେନ ଯିଏ ନିଜ ରକ୍ତରେ ଲେଖିଥିଲେ କୁରାନ ଏବଂ ଶତ୍ରୁଙ୍କ ରକ୍ତରେ ଖେଳିଥିଲେ ହୋଲି , ଆଜିର ଦିନରେ ପାଇଥିଲେ ଫାଶୀ
ଆଜିର ତାରିଖ ୩୦ ଡିସେମ୍ବର, ବର୍ଷ ଥିଲା ୨୦୦୬ ମସିହା । ସମୟ ସକାଳ ୫.୩୦ ଇରାକର ବାଗଦାଦରେ ୧୨ ଜଣ ଆମେରିକୀୟ ସୈନିକ ଇରାକର ପୂର୍ବତନ ଶାସକ ସଦ୍ଦାମ ହୁସେନଙ୍କୁ ହାତ ବନ୍ଧା ଅବସ୍ତାରେ ହସ୍ତାନ୍ତର କରିଥିଲେ ଜଲ୍ହାଦକୁ । ତାଙ୍କୁ ହସ୍ତାନ୍ତର କରିବା ସମୟରେ ତାଙ୍କୁ ସୁରକ୍ଷା ଦେଇ ଆସୁଥିବା ୧୨ ଜଣ ଆମେରିକୀୟ ସୈନିକ ଯାହାକୁ ‘ସୁପର 12’ ବୋଲି କୁହାଯାଏ ସେମାନଙ୍କ ଆଖିରେ ମଧ୍ୟ ଲୁହ ଆସିଥିଲା କାରଣ ସେହିଦିନ ବିଶ୍ବର ଚର୍ଚ୍ଚିତ ଏହି ଶାସନମୁଖ୍ୟଙ୍କୁ ଫାଶୀ ଦେବାର ସ୍ଥିର ହୋଇଥିଲା
Kanak News is now on WhatsApp
Join and get latest news updates delivered to you via WhatsApp
ହାତରେ ପବିତ୍ର କୁରାନ ଧରି ସଦ୍ଦାମ ହୁସେନ୍ ନିର୍ବିକାରରେ ଫାଶୀ ଗୃହକୁ ପ୍ରବେଶ କରିଥିଲେ । ଫାଶୀ ଦେବା ସମୟରେ ସେ କୌଣସି ପ୍ରକାର ବିରୋଧ ମଧ୍ୟ କରିନଥିଲେ । କେବଳ ଏତିକି ଅନୁରୋଧ କରିଥିଲେ କି ଫାଶୀ ଦେବା ସମୟରେ ତାଙ୍କ ମୁହଁ ଖୋଲା ରଖାଯାଉ । ମୁହଁରେ କଳା କପଡ଼ା ଘୋଡ଼େଇବାକୁ ମନା କରିଥିଲେ । ଘଣ୍ଟାରେ ଠିକ ୬ ଟା ବାଜିଗଲା । ବିଚାରପତିଙ୍କ ସଙ୍କେତରେ ଜଲ୍ହାଦ ଲିଭର ଟାଣିଦେଲା । ଫାଶୀ ସ୍ଥାନରୁ ଝୁଲି ପଡ଼ିଲେ ଇରାକର ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନ । କିଛି ସମୟ ହଲିବା ପରେ ସ୍ଥିର ହୋଇଗଲା ତାଙ୍କ ଶରୀର ।
ଏହି ଘଟଣାକୁ ଆଜି ୧୭ ବର୍ଷ ବିତିଗଲାଣି । ଆଜିର ସ୍ପେଶାଲ ରିପୋର୍ଟରେ ଆମେ ଜାଣିବା ଦୁଇ ଦଶନ୍ଧି ଧରି ଇରାକକୁ ଶାସନ କରୁଥିବା ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନଙ୍କ ଜୀବନ କାହାଣୀ । ଯାହାଙ୍କ ମୃତ୍ଯୁରେ ଆମେରିକୀୟ ସୈନିକ ମାନେ ମଧ୍ୟ କାନ୍ଦି ପକାଇଥିଲେ ।
ସଦ୍ଦାମ ହୁସେନଙ୍କ ଜନ୍ମ ୨୮ ଅପ୍ରିଲ ୧୯୩୭ ରେ ଇରାକର ବାଗଦାଦ ନିକଟବର୍ତ୍ତୀ ତିରକିଟର ଏକ ଗାଁ ରେ ହେଇଥିଲା । ବାଗଦାଦଋ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ସେ ଆଇନରେ ସ୍ନାତକ କରିଥିଲେ । ୧୯୫୭ ରେ ମାତ୍ର ୨୦ ବର୍ଷ ବୟସରେ ସେ ‘ବାଥ ପାର୍ଟି’ର ସଦସ୍ୟ ହେଇଥିଲେ । ସେହି ପାର୍ଟି ଆରବରେ ସମାଜବାଦ ଆନ୍ଦୋଳନ କରୁଥିଲା ଯାହା ପରେ ଏହି ଆନ୍ଦୋଳନ ୧୯୬୨ ମସିହାରେ ଇରାକରେ ସୈନ୍ୟ ବିଦ୍ରୋହର କାରଣ ମଧ୍ୟ ହେଇଥିଲା । ସଦ୍ଦାମ ସେହି ବିଦ୍ରୋହରେ ଅଂଶଗ୍ରହଣ କରିଥିଲେ । ସେହି ବିଦ୍ରୋହରେ ସଦ୍ଦାମ, ବ୍ରିଗେଡିୟର୍ ଅବଦୁଲ୍ କରିମ୍ କାସୀମ୍ ବ୍ରିଟେନର ସମର୍ଥନରେ ଚାଲୁଥିବା ରାଜତନ୍ତ୍ରକୁ ହଟାଇ କ୍ଷମତା ହାସଲ କରିଥିଲେ । ୧୯୬୮ ମସିହାରେ ପୁଣି ବିଦ୍ରୋହ ଆରମ୍ଭ ହେଲା ଏବଂ ଏଥର ୩୧ ବର୍ଷୀୟ ସଦ୍ଦାମ ହୁସେନ୍ ଜେନେରାଲ ଅହମ୍ମଦ ହାସନ ଅଲ ବକରଙ୍କ ସହିତ କ୍ଷମତା ଦଖଲ କରିଥିଲେ । ୧୯୭୯ ରେ ସ୍ବାସ୍ଥ୍ୟଗତ କାରଣରୁ ଜେନେରାଲ ଅହମ୍ମଦ ହାସନ ଅଲ ବକରଙ୍କୁ ଜୋରଜବରଦସ୍ତ କ୍ଷମତାଋ ବାହାର କରି ସଦ୍ଦାମ ହୁସେନ ନିଜକୁ ଦେଶର ପଞ୍ଚମ ରାଷ୍ଟ୍ରପତି ଭାବେ ଘୋଷଣା କରିଦେଲେ ।
ଏହିଠାରୁ ଆରମ୍ଭ ହୁଏ ସଦ୍ଦାମ ହୁସେନଙ୍କ ନରସଂହାରର କାହାଣୀ । ନିଜକୁ ଶତ୍ରୁମୁକ୍ତ କରିବାପାଇଁ ସେ ଜଣ ଜଣ କରି ନିଜର ସମସ୍ତ ଶତ୍ରୁ ମାନଙ୍କୁ ହତ୍ୟା କରିବା ଆରମ୍ଭ କରନ୍ତି । ଥରେ ଜଣେ ୟୁରୋପୀୟ ପତ୍ରକାର ତାଙ୍କୁ ପଚାରିଥିଲେ କି ‘ସରକାର ନିଜ ବିରୋଧୀ ମାନଙ୍କୁ ହତ୍ୟା କରିବା ଖବର କଣ ସତ୍ୟ କି ? ନିର୍ବିକାର ଭାବେ ଉତ୍ତରରେ ସଦ୍ଦାମ କହିଥିଲେ ‘ ନିଶ୍ଚିତ ଭାବେ ସତ୍ୟ କଥା , ଆପଣ କଣ ଭାବୁଛନ୍ତି ? ଯେତେବେଳେ ସେମାନେ ଆମକୁ ବିରୋଧ କରୁଛନ୍ତି ଆମେ କଣ ସେମାନଙ୍କୁ ସମ୍ମାନିତ କରିବୁ ?” ଏହିପରି ଥିଲା ତାଙ୍କ ବେପରୁଆ ଭାବ ।
ଇରାକ ଇରାନ ଯୁଦ୍ଧ
ଇରାକ ୮ ବର୍ଷ ଧରି ଇରାନ ସହିତ ଯୁଦ୍ଧ କରିଥିଲା । ଏହି ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ୧୯୮୮ ରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ହୋଇଥିଲା ।
ସଦ୍ଦାମ ହୁସେନ୍ଙ୍କୁ ସେତେବେଳେ ଆରବ ଦେଶର ସବୁଠାରୁ ପ୍ରଭାବଶାଳୀ ମୁଖ୍ୟ ଭାବରେ ବିବେଚନା କରାଯାଉଥିଲା । ଧୀରେ ଧୀରେ ଆରବ ଦେଶମାନଙ୍କ ମଧ୍ୟରେ ଇରାକ ପ୍ରଭାବଶାଳୀ ହେବାକୁ ଲାଗିଲା । ଏହା ୧୯୮୦ ଦଶକର ସମୟ ଥିଲା । ଠିକ ସେହି ସମୟରେ ପଡୋଶୀ ଇରାନରେ ଇସଲାମିକ ବିପ୍ଳବ ଆରମ୍ଭ ହୋଇଥିଲା । ଏହି ବିପ୍ଳବକୁ ଦୁର୍ବଳ କରିବା ପାଇଁ ଇରାକ, ଇରାନର ପଶ୍ଚିମପ୍ରାନ୍ତକୁ ନିଜର ସୈନ୍ୟବାହିନୀକୁ ପଠାଇଥିଲା । । ଯାହା ପରେ ଇରାକ-ଇରାନ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ଏହି ଯୁଦ୍ଧ ୮ ବର୍ଷ ଧରି ଚାଲିଥିଲା । ଏହି ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ।
ଜୁଲାଇ ୧୯୮୨ ରେ ସଦ୍ଦାମ ହୁସେନ୍ଙ୍କ ଉପରେ ଏକ ଆତ୍ମଘାତୀ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ସଦ୍ଦାମ ହୁସେନ୍ ଦୁଜାଏଲ୍ର ଶିଆ ପ୍ରାଧାନ୍ୟ ଗ୍ରାମରେ ୧୪୮ ଜଣଙ୍କୁ ହତ୍ୟା କରିଥିଲେ । ମାନବିକ ଅଧିକାରର ଉଲ୍ଲଂଘନ ଭଳି ଅନେକ ମାମଲା ସତ୍ତ୍ବେ ଏହି ଆକ୍ରମଣରେ ଆମେରିକା ସଦ୍ଦାମ ହୁସେନ୍ଙ୍କୁ ସମର୍ଥନ କରିଥିଲା ।
୧୯୮୮ ରେ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରାଯାଇଥିଲା, କିନ୍ତୁ ସଦ୍ଦାମ ନିଜର ଆଧିପତ୍ୟ ବଜାୟ ରଖିବାରେ ନିଜର ଶକ୍ତି ବୃଦ୍ଧି କରିବାରେ ବ୍ୟସ୍ତ ଥିଲେ । ସଦ୍ଦାମ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର, ଆଣବିକ ଅସ୍ତ୍ର, ଜୈବିକ ଏବଂ ରାସାୟନିକ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଆରମ୍ଭ କରିଥିଲେ ।
ସଦ୍ଦାମଙ୍କ ଶାସନ କାଳରେ ଅନେକ ହତ୍ୟାକାଣ୍ଡ ଘଟିଥିଲା ଏବଂ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। ଏହି ସମୟରେ ଇରାନ ବିରୋଧରେ ଯୁଦ୍ଧ ମଧ୍ୟ ଇରାକର ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପକାଇଥିଲା । ଏହାକୁ ଦୂର କରିବା ପାଇଁ ସଦ୍ଦାମ ତେଲ ଦର ବୃଦ୍ଧି କରିବା ପାଇଁ ବାଧ୍ୟ ହେଇଥିଲେ ।
ସଦ୍ଦାମ ନିଜ ରକ୍ତରେ ‘କୁରାନ’ ଲେଖିଥିଲେ
୧୯୯୦ ଦଶକରେ ସଦ୍ଦାମ ହୁସେନ୍ ନିଜ ରକ୍ତରେ କୁରାନ ଲେଖିଥିଲେ। ଦି ଗାର୍ଡିଆନ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆଲ୍ଲାହାଙ୍କୁ କୃତଜ୍ଞତା ଜଣାଇବା ପାଇଁ ସଦ୍ଦାମ ଦୁଇ ବର୍ଷ ମଧ୍ୟରେ ୨୭ ଲିଟର ରକ୍ତଦାନ କରିଥିଲେ । ଏହି ୬୦୫ ପୃଷ୍ଠାରେ କୁରାନର ୧୧୪ ଅଧ୍ୟାୟ ଲେଖିବା ପାଇଁ ତାଙ୍କ ରକ୍ତକୁ କାଳି ଭାବରେ ବ୍ୟବହାର କରାଯାଇଥିଲା । ଲୋକମାନେ ସୁବିଧାରେ ଏହାକୁ ଯେପରି ଦେଖିପାରିବେ ସେଥିପାଇଁ ଏହାର ୬୦୫ ପୃଷ୍ଠାଗୁଡ଼ିକୁ କାଚର ଏକ କେସ ମଧ୍ୟରେ ସଜା ହେଇ ରଖାଯାଇଥିଲା । ସଦ୍ଦାମ ହୁସେନ୍ଙ୍କ ଜୀବନୀ ଲେଖକ କନ୍ କଫଲିନ୍ ମଧ୍ୟ ଏହି ‘ବ୍ଲଡ଼ କୁରାନ’ ବିଷୟରେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ‘ବ୍ଲଡ଼ କୁରାନ’ ନାମରେ ପରିଚିତ ଏହି କୁରାନକୁ ବାଗଦାଦର ଏକ ମସଜିଦରେ ରଖାଯାଇଥିଲା । ୨୦୦୬ ରେ ସଦ୍ଦାମଙ୍କୁ ଫାଶୀ ଦିଆଯିବା ପରେ ଏହି କୁରାନର ସର୍ବସାଧାରଣ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।
କୁଏତ ଉପରେ କରିଥିଲେ ଆକ୍ରମଣ
ଅଗଷ୍ଟ ୧୯୯୦ ରେ ସଦ୍ଦାମ ତୈଳ ଦାମର ଅସ୍ଥିରତା ପାଇଁ କୁଏତକୁ ଦାୟୀ କରିଥିଲେ । ଏହା ପରେ ସଦ୍ଦାମ ହୁସେନ୍ ତାଙ୍କ ସୈନ୍ୟବାହିନୀକୁ କୁଏତ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଗଷ୍ଟ ୨,୧୯୯୦ ରେ, ଇରାକ ସୈନ୍ୟବାହିନୀ କୁଏତ ଦଖଲ କରିବାକୁ ଆକ୍ରମଣ କରିଥିଲା । ଇରାକ ସେନା ମାତ୍ର ଛ’ ଘଣ୍ଟା ମଧ୍ୟରେ କୁଏତକୁ କବଜା କରି ନେଇଥିଲେ । କୁଏତକୁ ତୁରନ୍ତ ଖାଲି କରିବାକୁ ଆମେରିକା ଇରାକକୁ କହିଥିଲା। କିନ୍ତୁ ସଦ୍ଦାମ ହୁସେନ୍ ଆମେରିକାର କଥା ନ ଶୁଣି କୁଏତକୁ ଇରାକର ୧୯ ତମ ପ୍ରଦେଶ ଭାବେ ଘୋଷଣା କରିଦେଲେ । ଇରାନ ଏବଂ ପରେ କୁଏତ ଉପରେ ବିଜୟ ସଦ୍ଦାମ ହୁସେନ୍ଙ୍କ ମନୋବଳକୁ ଆହୁରି ବଢେଇ ଦେଇଥିଲା । ଠିକ ତା ପରଦିନ ଅର୍ଥାତ୍ ୩ ଅଗଷ୍ଟ ୧୯୯୦ ରେ, ଇରାକ ସାଉଦି ଆରବ ସୀମାରେ ନିଜର ସେନାକୁ ନିୟୋଜିତ କରିଦେଇଥିଲା ।
କୁଏତରୁ ଇରାକୀ ସେନାକୁ ବାହାର କରିବା ପାଇଁ ଆମେରିକାର ନେତୃତ୍ୱରେ ୨୮ ଟି ଦେଶର ଏକ ମିଳିତ ମଞ୍ଚ ଗଠନ କରାଯାଇଥିଲା । କୁଏତର ମୁକ୍ତି ପାଇଁ ଜାନୁଆରୀ ୧୯୯୧ ରେ ଇରାକ ବିରୁଦ୍ଧରେ ଏହି ମିଳିତ ମଞ୍ଚ ଯୁଦ୍ଧ ଆରମ୍ଭ କରିଥିଲା । ଆମେରିକାର ଏୟାର ଷ୍ଟ୍ରାଇକ୍ ଯୋଗୁଁ ଇରାକ ବହୁ କ୍ଷତି ହୋଇଥିଲା ଏବଂ ଇରାକ କୁଏତରୁ ପଛକୁ ଫେରିବାକୁ ବାଧ୍ୟ ହୋଇଥିଲା । ଏହି ସଂଘର୍ଷରେ ହଜାର ହଜାର ଇରାକୀ ସୈନିକ ନିହତ ହୋଇଥିଲେ ଏବଂ ଅନେକ ବନ୍ଦୀ ହୋଇଥିଲେ । ଇରାକର ଅନେକ ତୈଳକୂପରେ ନିଆଁ ଲାଗିଯାଇଥିଲା ଯେଉଁଥିପାଇଁ ଇରାକକୁ ବହୁତ ଆର୍ଥିକ କ୍ଷତି ସହିବାକୁ ପଡିଥିଲା ।
ହୋଟେଲ ଟାଇଲରେ ଜର୍ଜ ବୁଶଙ୍କ ଫଟୋ
ଗଲ୍ଫ ଯୁଦ୍ଧ ପରେ ବାଗଦାଦରେ ଏକ ପାଞ୍ଚ ତାରକା ଅଲ ରସିଦ ହୋଟେଲ ନିର୍ମାଣ କରାଯାଇଥିଲା । କୁହାଯାଏ ଯେ ସଦ୍ଦାମ ହୁସେନ୍ଙ୍କ ନିର୍ଦ୍ଦେଶରେ ହୋଟେଲର ମୁଖ୍ୟ ଫାଟକ ହଲର ଚଟାଣ ଟାଇଲରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଏଚ୍ ଡବ୍ଲୁ ବୁଶଙ୍କ ଚିତ୍ର ତିଆରି କରାଯାଇଥିଲା । ଦୁନିଆର ବଡ ବଡ଼ ନେତାମାନେ ଏହି ହୋଟେଲକୁ ଆସୁଥିଲେ ଏବଂ ଚଟାଣରେ ଥିବା ବୁଶଙ୍କ ଚିତ୍ର ଉପରେ ସେମାନଙ୍କୁ ଜୋତାରେ ଚାଲିବାକୁ ପଡୁଥିଲା । ଏହି ଚିତ୍ରରେ ‘ବୁଶ୍ ଇଜ କ୍ରୀମିନାଲ’ ବୋଲି ଇଂରାଜୀ ଏବଂ ଆରବୀରେ ଲେଖାଯାଇଥିଲା ।୨୦୦୩ ଆମେରିକୀୟ ସୈନ୍ୟମାନେ ଇରାକ ଦଖଲ କରିବା ପରେ ଏହି ଫଟୋକୁ ନଷ୍ଟ କରାଯାଇଥିଲା । ୨୦୦୮ ସୁଦ୍ଧା, ଏହାକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯାଇଥିଲା ।
ଇରାକକୁ ଏକ ବଡ ‘ବିପଦ’
କୁଏତ ଦଖଲ କରିବା ପରେ ଇରାକ ଉପରେ ଅନେକ ପ୍ରକାରର କଟକଣା ଲାଗୁ କରାଯାଇଥିଲା । ଯେଉଁଥିପାଇଁ ଏହାର ଅର୍ଥନୀତି ଆହୁରି ଖରାପ ହେବାକୁ ଲାଗିଲା । ୨୦୦୦ ମସିହାରେ ଆମେରିକାରେ ଜର୍ଜ ବୁଶ ସରକାର ଗଠନ ହୋଇଥିଲା, ସରକାର ଗଠନ ପରେ ସେ ସଦ୍ଦାମ ହୁସେନଙ୍କ ଉପରେ ଚାପ ବଢାଇ ଦେଇଥିଲେ । ଆମେରିକା ଏବଂ ଆନ୍ତର୍ଜାତୀୟ ସମୁଦାୟ ଇରାକକୁ ଏକ ବଡ଼ ବିପଦ ବୋଲି ଆଖ୍ୟା ଦେବା ଆରମ୍ଭ କରିଥିଲେ । ଏହା ପରେ ଆମେରିକା ଇରାକରେ କ୍ଷମତା ପରିବର୍ତ୍ତନ ବିଷୟରେ ମଧ୍ୟ କହିବା ଆରମ୍ଭ କରିଥିଲା ।
୨୦୦୨ ରେ ମିଳିତ ଜାତିସଂଘର ଏକ ଦଳ ମଧ୍ୟ ଇରାକ ଗସ୍ତ କରିଥିଲେ । ଏହି ସମୟ ମଧ୍ୟରେ ଇରାକ ଅନେକ ବିପଜ୍ଜନକ କ୍ଷେପଣାସ୍ତ୍ରକୁ ମଧ୍ୟ ଧ୍ୱଂସ କରିଦେଇଥିଲା, କିନ୍ତୁ ବୁଶଙ୍କ ଟେନସନ ହ୍ରାସ ପାଇ ନଥିଲା।ସବୁ ପରେ ମାର୍ଚ୍ଚ ୧୯,୨୦୦୩ ରେ ଆମେରିକା ଇରାକ ଉପରେ ଆକ୍ରମଣ କରିଥିଲା । ଆମେରିକାର ସେନା ଦ୍ରୁତ ଗତିରେ ଇରାକର ରାଜଧାନୀ ବାଗଦାଦ ଆଡକୁ ମାଡି ଯାଇଥିଲେ ।
ଏପ୍ରିଲ ୯, ୨୦୦୩ ରେ, ସଦ୍ଦାମ ହୁସେନ୍ଙ୍କ ସରକାରକୁ କ୍ଷମତାଚ୍ୟୁତ କରାଯାଇଥିଲା । କିନ୍ତୁ ସଦ୍ଦାମ ହୁସେନ୍ ଧରାପଡି ପାରିନଥିଲେ।
ଡିସେମ୍ବର ୧୩,୨୦୦୩ ରେ, ସଦ୍ଦାମ ହୁସେନଙ୍କୁ ଆମେରିକୀୟ ସୈନ୍ୟମାନେ କାବୁ କରିଥିଲେ। ସେ ଟିକ୍ରିଟ୍ର ଏକ ଘରେ ଲୁଚି ରହିଥିଲେ । ଏହା ପରେ ତାଙ୍କ ବିରୋଧରେ ଅନେକ ମାମଲା ଦାୟର କରାଯାଇଥିଲା। ଦୁଜାଇଲ ହତ୍ୟାକାଣ୍ଡରେ (୧୪୮ ଜଣଙ୍କ ମୃତ୍ୟୁ) ସଦ୍ଦାମ ହୁସେନ୍ଙ୍କୁ ୫ ନଭେମ୍ବର ୨୦୦୬ ରେ ମୃତ୍ୟୁଦଣ୍ଡ ଶୁଣା ଯାଇଥିଲା। ଆଜିର ଦିନ ଡିସେମ୍ବର ୩୦, ୨୦୦୬ ରେ ସଦ୍ଦାମ ହୁସେନ୍ ବାଗଦାଦରେ ଫାଶୀ ଦିଆ ଯାଇଥିଲା ।