ଉଦଘାଟନ୍ ଅପେକ୍ଷାରେ ସ୍ପୋଟର୍ସ ହଷ୍ଟେଲ: କାମରେ ନଲାଗିବାରୁ ଭୂତକୋଠି ପାଲଟିଛି ୬ କୋଟିରେ ନିର୍ମିତ କୋଠା

89

କନକ ବ୍ୟୁରୋ: ଯାଜପୁର ସହରରେ କ୍ରୀଡାର ବିକାଶ ପାଇଁ କୋଟି କୋଟି ଟଙ୍କ୍ା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା କ୍ରୀଡାବିତଙ୍କ କାମରେ ଆସିପାରୁନି । ୬ କୋଟି ଟଙ୍କାର ସ୍ପୋଟର୍ସ ହଷ୍ଟେଲ ଓ ସୁଇମିଂ ପୁଲ ଏବେ ମଦ୍ୟପ ଓ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ୨ ବର୍ଷ ହେଲା ଏହାର ନିର୍ମାଣ ସରିଥିଲେ ବି ଏହା କ୍ରୀଡାବିତଙ୍କ କାମରେ ଲାଗିପାରିନାହିଁ । ଯାହାକି ଭୂତ କୋଠି ପରି ପଡି ରହିଛି । ପାଚେରୀ ନିର୍ମାଣ ବିଳମ୍ବକୁ ଦାୟୀ କରି କ୍ରୀଡାବିଭାଗ ନୀରବ ରହୁଥିବା ବେଳେ ଏହାକୁ କିପରି କାର୍ଯ୍ୟକ୍ଷମ କରାଯିବ ସେ ନେଇ ଦାବି ହେଉଛି ।

ଯାଜପୁର ସହରକୁ ଏବେ କ୍ରୀଡା ହବରେ ପରିଣତ କରିବାକୁ ଉଦ୍ୟମ ଜାରି ରହିଛି । ସେଥିପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚରେ ପ୍ରକଳ୍ପ ନିର୍ମାଣ ସହ ଜମି ଅଧିଗ୍ରହଣ କରାଯାଉଛି । ପୁରୁଣା ସହର ନୂଆ ପରିଚୟ ପାଇବାକୁ ପ୍ରକଳ୍ପ ହେଉଥିବା ବେଳେ ଏଗୁଡିକ ଏବେ ଭୂତକୋଠି ଓ ଅସାମାଜିକ ଲୋକଙ୍କ ପାଇଁ ଆଡ୍ଡାସ୍ଥଳୀ ପାଲଟିଛି । ଫଳରେ ସନ୍ତରଣ ଶିକ୍ଷା ପାଇଁ ଆସୁଥିବା କିଛି ଯୁବତୀ ସୁରକ୍ଷା ନଥିବାରୁ ସନ୍ତରଣରୁ ମୁହଁ ଫେରାଇ ନେଇଛନ୍ତି ।

ଯାଜପୁର ସହରର କୁସୁମା ନିକଟରେ ପ୍ରାୟ ୬ କୋଟି ଟଙ୍କାରେ ସ୍ପୋଟର୍ସ ହଷ୍ଟେଲ ସହ ସୁଇମିଂ ପୁଲ ନିର୍ମାଣ ହୋଇ ଏବେ ଉଦଘାଟନ ଅପେକ୍ଷାରେ । ଉଦଘାଟନ ହୋଇପାରୁନି କି କାମରେ ଲାଗିପାରୁନି । ଦେଖନ୍ତୁ କିପରି ଭୂତକୋଠି ପରି ଜରାଜୀର୍ଣ୍ଣ ଅବସ୍ଥାରେ ଛିଡା ହୋଇଛି ସୁଉଚ୍ଚ ସ୍ପୋର୍ଟସ ହଷ୍ଟେଲ । ସନ୍ତକାରୀଙ୍କ ଅପେକ୍ଷାରେ ସୁଇମିଂ ପୁଲର ନୀଳ ଜଳ । ରାଜ୍ୟର ବିଭିନ୍ନ ଅଂଚଳରୁ କ୍ରୀଡାବିତ ଆସି ଏହି ହଷ୍ଟେଲରେ ରହି ସୁଇମିଂ ସହ ବିଭିନ୍ନ କ୍ରୀଡା ପ୍ରଶିକ୍ଷଣ ନେଇଥାନ୍ତେ । ହେଲେ ଇଡକୋର ପାଚେରୀ ନିର୍ମାଣରେ ବିଳମ୍ବ ହେତୁ ସମସ୍ୟା ନିର୍ମାଣର ୨ ବର୍ଷ ପରେ ବି କାମରେ ଆସୁନି ୬ କୋଟିର ସ୍ପୋଟର୍ସ ହଷ୍ଟେଲ ।